ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ପାକିସ୍ତାନର ଷ୍ଟାର ଅଲରାଉଣ୍ଡର ଇମାଦ ୱାସିମ୍ । ଦୀର୍ଘ ଦିନରୁ ଦଳରେ ସ୍ଥାନ ମିଳୁନଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏହା ବ୍ୟତୀତ ଦଳରେ ଅନେକ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଭଲ ନଥିବା ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ନିକଟରେ ଭାରତରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପରେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ଦେଇନଥିଲା ପିସିବି । ଏହାପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମଧ୍ୟ ତାଙ୍କୁ ଗୁରୁତ୍ବ ନମିଳିବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି ।
ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ କରି ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ଏହି ଷ୍ଟାର ଅଲରାଉଣ୍ଡର । କ୍ରିକେଟ କ୍ୟାରିୟରରେ ସେ ପାଇଥିବା ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇ କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ଇମାଦ ୱାସିମ୍ । ସେ ନିଜ ପୋଷ୍ଟରେ ଲେଖିଛନ୍ତି, "ଅନେକ ଦିନରୁ ମୋ ଅନ୍ତର୍ଜାତୀୟ କ୍ରିକେଟକୁ ନେଇ ଚିନ୍ତା କରୁଥିଲି । କିନ୍ତୁ ବର୍ତ୍ତମାନ କ୍ରିକେଟରୁ ଅବସର ନେବାର ଉଚିତ ସମୟ ବୋଲି ମୁଁ ଅନୁଭବ କରୁଛି । ପ୍ରକିସ୍ତାନ କ୍ରିକେଟ୍ ବୋର୍ଡ ତରଫରୁ ମୋତେ ମୋ କ୍ୟାରିୟରରେ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ । ପାକିସ୍ତାନ ଦଳର ପ୍ରତିନିଧିତ୍ବ କରିବା ସମ୍ମାନଜନକ ବିଷୟ । ପାକିସ୍ତାନ ତରଫରୁ ୧୨୧ଟି ମ୍ୟାଚ୍ ଖେଳିବା ମୋର ଏକ ସ୍ବପ୍ନ ସତ ହେବା ଭଳି ଘଟଣା ।"