ଓଡିଶା

odisha

By ETV Bharat Odisha Team

Published : Oct 31, 2023, 6:03 PM IST

Updated : Oct 31, 2023, 6:19 PM IST

ETV Bharat / sports

BAN Vs PAK: ଶାହିନ-ୱାସିମଙ୍କ ଆକ୍ରମଣାତ୍ମକ ବୋଲିଂ, ୨୦୪ରେ ଅଲଆଉଟ ବାଂଲାଦେଶ

ବାଂଲାଦେଶ ବନାମ ପାକିସ୍ତାନ । ଆଫ୍ରିଦି-ୱାସିମଙ୍କ ଆକ୍ରମଣାତ୍ମକ ବୋଲିଂରେ ୨୦୪ ରନ୍‌ରେ ଅଲଆଉଟ୍‌ ବାଂଲାଦେଶ । ଅଧିକ ପଢନ୍ତୁ

BAN Vs PAK
BAN Vs PAK

କୋଲକାତା:ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ର ୩୧ତମ ଲିଗ୍‌ ମ୍ୟାଚ୍‌ ଆଜି(ମଙ୍ଗଳବାର) ପାକିସ୍ତାନ ଓ ବାଂଲାଦଶ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍‌ରେ ପାକିସ୍ତାନୀ ବୋଲର୍‌ଙ୍କ ଆକ୍ରମଣାତ୍ମକ ବୋଲିଂରେ ଧରାଶାୟୀ ହୋଇଛି ବାଂଲାଦେଶ । ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବାଂଲାଦେଶ ୪୫.୧ ଓଭର ସୁଦ୍ଧା ୨୦୪ ରନ୍‌ କରି ଅଲଆଉଟ୍‌ ହୋଇଛି । ପାକିସ୍ତାନୀ ବୋଲର୍‌ ଶାହିନ ଆଫ୍ରିଦି ଓ ମହମ୍ମଦ ୱାସିମ ଜୁନିଅରଙ୍କ ଘାତକ ବୋଲିଂରେ ବାଂଲାଦେଶ ୨୦୪ ରନ୍‌ରେ ଅଟକିଛି । ଫଳରେ ପାକିସ୍ତାନ ଆଗରେ ରହିଛି ୨୦୫ ରନ୍‌ ଟାର୍ଗେଟ ।

କ୍ରମାଗତ ୪ଟି ମ୍ୟାଚ୍‌ ହାରିଆସୁଥିବା ପାକିସ୍ତାନୀ ଟିମ ଆଜି ଫର୍ମକୁ ଫେରିଛି । ବାଂଲାଦେଶକୁ ଧୂଳି ଚଟାଇଛି ପାକିସ୍ତାନ । ବାଂଲାଦେଶ ଓପନର୍‌ ତାନଜିଦ ହାସନ ଶୂନରେ ଆଉଟ୍‌ ହୋଇଥିବା ବେଳେ ଅନ୍ୟତମ ଓପନର୍‌ ଲିଟନ ଦାସ ଅର୍ଦ୍ଧଶତକ କରିବାରେ ବିଫଳ ହୋଇଥିଲେ । ଲିଟନ ୬୪ ବଲ୍‌ ଖେଳି ୬ଟି ଚୌକା ସହ ୪୫ରନ୍‌ କରିଥିଲେ । ମହମୁଦୁଲ୍ଲା ପ୍ରଥମ ପାଳିରେ ସର୍ବାଧିକ ୫୬ ରନ୍‌ କରିବାରେ ସଫଳ ହୋଇଥିଲେ । ସେ ୭୦ ବଲ୍‌ ଖେଳି ୬ଟି ଚୌକା ଓ ଗୋଟିଏ ଛକା ସହ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ବାଂଲାଦେଶର ଅଭିଜ୍ଞ ବ୍ୟାଟର୍‌ ତଥା ଅଧିନାୟକ ଶାକିବ ଅଲ ହାସନ ୪୩ ରନ୍‌ ସଂଗ୍ରହ କରିଥିଲେ । ସେ ୬୪ ବଲ୍‌ ଖେଳି ୪ଟି ଚୌକା ସହ ଏହି ରନ୍‌ ସ୍କୋରକାର୍ଡରେ ଯୋଡିଥିଲେ ।

ଏହା ବି ପଢନ୍ତୁ- World Cup 2023: ଆଜି ବାଂଲାଦେଶ-ପାକିସ୍ତାନ ଫାଇଟ, ଜଟିଳ ସ୍ଥିତିରେ ବାବରବାହିନୀ

ତେବେ ପାକିସ୍ତାନ ସମସ୍ତ ବୋଲରଙ୍କୁ ପ୍ରଥମ ପାଳିରେ ସଫଳତା ମିଳିଥିଲା । ପାକିସ୍ତାନର ଷ୍ଟାର ବୋଲର୍‌ ଶାହିନ ଆଫ୍ରିଦି ଓ ମହମ୍ମଦ ୱାସିମ ଜୁନିଅରଙ୍କୁ ୩ଟି ଲେଖାଏଁ ୱିକେଟ ମିଳିଛି । ଶାହିନ ୯ ଓଭର ବୋଲିଂ କରି ମାତ୍ର ୨୩ ରନ୍ ଦେବା ସହ ୩ଟି ୱିକେଟ ହାତେଇଥିଲେ । ସେହିପରି ମହମ୍ମଦ ୱାସିମ ୮ ଓଭର ବୋଲିଂ କରିଥିବା ବେଳେ ୩୧ ରନ୍‌ ଦେବା ସହ ୩ଟି ୱିକେଟ ନେଇଥିଲେ । ହାରିସ ରୌଫଙ୍କୁ ମଧ୍ୟ ୨ଟି ୱିକେଟ ମିଳିଥିବା ବେଳେ ଇଫ୍ତିଖାର ଅହମ୍ମଦ ଓ ଓସାମା ମିରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ସୂଚନା ଥାଉ କି ଆଜିର ଏହି ମ୍ୟାଚ୍‌ ପଏଣ୍ଟ ଟେବୁଲର ସପ୍ତମ ଓ ନବମ ଦଳ ମଧ୍ୟରେ ଫାଇଟ ଚାଲିଛି । ପାକିସ୍ତାନ ଏଯାବତ ୬ଟି ମ୍ୟାଚ୍‌ ଖେଳି ୨ଟିରେ ବିଜୟ ହାସଲ କରି ତାଲିକାର ସପ୍ତମ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ମଧ୍ୟ ୬ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏର ବିଜୟ ହାସଲ କରି ଟେବୁଲର ନବମ ସ୍ଥାନରେ ରହିଛି । ଆଜି ବାଂଲାଦେଶ ପାକିସ୍ତାନକୁ ହରାଇବାକୁ ପ୍ରୟାସ କରିବ । ଏସିଆ କପ୍‌ ସୁପର ୪ ରାଉଣ୍ଡରେ ପାକିସ୍ତାନ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଥିଲା । ୨୦୧୯ ବିଶ୍ବକପରେ ବାଂଲାଦେଶକୁ ବାବରବାହିନୀ ୯୪ ରନରେ ପରାସ୍ତ କରିଥିଲା । ଆଜି ବାଂଲାଦେଶ ପାକିସ୍ତାନକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ମାତ୍ର ପାକିସ୍ତାନର ବୋଲିଂ ଅର୍ଡର ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଅନୁରୂପ ଭାବରେ ବ୍ୟାଟିଂ ପ୍ରଦର୍ଶନ ଜାରି ରହିଲେ ବାଂଲାଦେଶ ବିଜୟ ଆଶା ମଉଳିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 31, 2023, 6:19 PM IST

ABOUT THE AUTHOR

...view details