ନୂଆଦିଲ୍ଲୀ:ପୂର୍ବତନ ଭାରତୀୟ ବ୍ୟାଟର ବିରେନ୍ଦ୍ର ସେହ୍ବାଗ ସୋମବାର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସମର୍ଥନ ଜଣାଇଛନ୍ତି । ରବିବାର ICC ପୁରୁଷ ଟି-୨୦ ବିଶ୍ବକପରେ ପାକିସ୍ତାନ ଠାରୁ ମେନ ଇନ୍ ବ୍ଲୁ ପରାସ୍ତ ହେବାପରେ ସାମିଙ୍କୁ ଲଗାତାର ଅନଲାଇନ୍ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଛି । ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି ସେହ୍ବାଗ ।
ସାମିଙ୍କୁ ସମର୍ଥନ ଜଣାଇ ସେହ୍ବାଗ ଟ୍ବିଟରେ ଲେଖିଛନ୍ତି, "ମହମ୍ମଦ ସାମିଙ୍କ ଉପରେ ଅନଲାଇନ ଆକ୍ରମଣ ଚକିତ କରିଛି, ଆମେ ତାଙ୍କୁ(ସାମି) ସମର୍ଥନ କରୁଛୁ । ସେ ଜଣେ ଚମ୍ପିଆନ ଖେଳାଳି ଓ ଯିଏ କେହି ବି ଭାରତର କ୍ୟାପ୍ ପିନ୍ଧନ୍ତି ସେ ତାଙ୍କ ହୃଦୟରେ ଭାରତକୁ ଏତେ ପରିମାଣରେ ରଖିଥାନ୍ତି ଯେ କୌଣସି ଅନଲାଇନ ମବ୍ (ଆକ୍ରମଣକାରୀ ଗୋଷ୍ଠୀ)ଙ୍କ ଠାରୁ ଏହି ତୁଳନା ଢେର ଅଧିକ । ୱିଥ୍ ୟୁ ସାମି । ଆଗାମୀ ମ୍ୟାଚ୍ରେ ଦେଖାଅ ଜଲୱା ।"
ରବିବାର ଟି-୨୦ ବିଶ୍ବକପରେ ପାକିସ୍ତାନ ଠାରୁ ଭାରତ ହାରିବା ପରେ ସାମିଙ୍କୁ କିଛି ଅମାନିଆ ଫ୍ୟାନ୍ସ ଟାର୍ଗେଟ କରିଛନ୍ତି ଓ ଅଶାଳୀନ ଟିପ୍ପଣୀ କରିବାକୁ ମଧ୍ୟ ପଛଇନାହାଁନ୍ତି । ଭାରତର ପରାଜୟର କିଛି ସମୟ ମଧ୍ୟରେ ଇନଷ୍ଟାଗ୍ରାମ ଓ ଟ୍ବିଟରରେ ମହମ୍ମଦ ସାମିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ ଫ୍ୟାନ୍ସ ।