ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ ଏକ ସ୍ମରଣୀୟ ଦିନ । ତିନିବର୍ଷ ତଳେ ଆଜିରେ ଦିନରେ(ଫେବୃଆରୀ ୩) ଚତୁର୍ଥ ଥର ପାଇଁ ICC ୧୯ ବର୍ଷରୁ କମ ବିଶ୍ବକପ ଟ୍ରଫି(U19 WC title) ବିଜେତା ହୋଇଥିଲା ଭାରତ । ତାଉରଙ୍ଗାର ବେ ଓଭାଲରେ ଖେଳାଯାଇଥିବା ୨୦୧୮ ସଂସ୍କରଣର ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଚାମ୍ପିଅନ ହୋଇଥିଲା ଜୁନିଅର ଟିମ ଇଣ୍ଡିଆ ।
ପୃଥ୍ବୀ ଶ'ଙ୍କ ନେତୃତାଧୀନ ଭାରତୀୟ ଟିମ ଟୁର୍ନାମେଣ୍ଟରେ ଅପରାଜେୟ ରହିବା ସହ ସମସ୍ତ ୬ଟି ମ୍ୟାଚ୍ ଜିତିଥିଲା । ସେମିଫାଇନାଲରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପକିସ୍ତାନକୁ ୨୦୩ ରନ୍ରେ ହରାଇ ଅଷ୍ଟ୍ରେଲିଆ ସହ ଫାଇନାଲ ଖେଳିବାକୁ ଉନ୍ନିତ ହୋଇଥିଲା ଭାରତ । ଫାଇନାଲରେ ୨୧୭ ରନ୍ର ବିଜୟ ଲକ୍ଷ୍ୟକୁ ପିଛାକରିଥିଲା ପୃଥ୍ବୀ ଶ'ଙ୍କ ଟିମ । ଓପନର ମନଜୋତ୍ କାଲ୍ରାଙ୍କ ଅପରାଜିତ ୧୦୧ ରନ୍ର ମ୍ୟାଚ୍ ବିଜୟୀ ଶତକୀୟ ଇଂନିସ ଓ ୱିକେଟ କିପର ହାର୍ବିକ ଦେଶାଇଙ୍କ ଅପରାଜିତ ୪୭ ରନ୍ ଖେଳିଥିଲେ । ଫଳରେ ୩୮.୫ ଓଭରରେ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।
ଦୁଇ ଓପନର ପୃଥ୍ବୀ ଶ ଓ କାଲ୍ରାଙ୍କ ମଧ୍ୟରେ ୭୧ ରନ୍ର ଭାଗିଦାରୀ ହୋଇଥିଲା । ଶ ୨୯ ରନ୍ କରି ଆଉଟ୍ ହେବାପରେ ଶୁଭମନ ଗିଲ୍ ଦ୍ବିତୀୟ ୱିକେଟ ଯୋଡିରେ କାଲ୍ରାଙ୍କ ସହ ମିଶି ୭୦ ରନ୍ର ଭାଗିଦାରୀ କରିଥିଲେ । ଗିଲ୍ ୩୧ ରନ୍ରେ ଆଉଟ୍ ହେବାପରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ସାମାନ୍ୟ ଆଶା ସୃଷ୍ଟି ହୋଇଥିଲା ମାତ୍ର କାଲ୍ରା ଓ ଦେଶାଇ ଆଉ ଏକ ଦମଦାର ଅର୍ଦ୍ଧଶତକୀୟ ଭାଗିଦାରୀ ବଳରେ ଭାରତକୁ ବିଜୟୀ କରାଇଥିଲେ ।