ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ସହିତ ବିଶ୍ବ କ୍ରିକେଟ ଜଗତ ପାଇଁ ଆଜି(ସେପ୍ଟେମ୍ବର ୧୯) ଏକ ସ୍ମରଣୀୟ ଦିନ । ଆଜିକୁ ଠିକ୍ ୧୪ ବର୍ଷ ତଳେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ କ୍ରିକେଟର ଛୋଟ ଫର୍ମାଟରେ ଗୋଟିଏ ଓଭରରେ ୬ଟି ବିଶାଳ ଛକା ମାରି ଇତିହାସ ରଚିଥିଲେ । ବର୍ଷ ୨୦୦୭ରେ ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଇଂଲଣ୍ଡ ବିପକ୍ଷରେ ଏହି ବିରଳ କରିସ୍ମା କରିଥିଲେ ।
ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଟିମ ଇଣ୍ଡିଆର ଯୁବରାଜ ଇଂଲିସ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ଟି ଲଗାତାର ଛକା ଲଗାଇଥିଲେ । ଏଥିସହ ଅବିଶ୍ବସନୀୟ ଭାବେ ମାତ୍ର ୧୨ଟି ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ରେକର୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ସବୁଠୁ ଦ୍ରୁତତମ ଇଂନିସ ହୋଇରହିଛି । ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମେନ ଇନ ବ୍ଲୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ରବିନ ଉଥାପ୍ପାଙ୍କ ୱିକେଟ ପଡିବା ପରେ ଯୁବରାଜ ବ୍ୟାଟିଂ ପାଇଁ କ୍ରିଜ୍କୁ ଆସିଥିଲେ । ଯୁବିଙ୍କ ଧୁଆଁଧାର ବ୍ୟାଟିଂ ସହାୟତାରେ ଭାରତର ସ୍କୋର ବିଶାଳ ୨୧୮ ରନ୍ରେ ପହଞ୍ଚିଥିଲା । ପରେ ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚ୍କୁ ୧୮ ରନ୍ରେ ଜିତି ନେଇଥିଲା ଭାରତ । ଏହା ଭାରତୀୟ ଇନିଂସର ୧୯ତମ ଓଭର ଥିଲା । ବ୍ରଡଙ୍କ ଓଭରର ୬ଟି ଯାକ ବଲ୍କୁ ଷ୍ଟାଡିୟମର ଦର୍ଶକ ଗ୍ୟାଲରୀରେ ପହଞ୍ଚାଇବା ସହ ଯୁବରାଜ, ଭାରତର ସ୍କୋର ୨୦୦ ପାର୍ କରାଇଥିଲେ ।