ଲଣ୍ଡନ:ଇଂଲଣ୍ଡ କ୍ରିକେଟର ଓଲି ରବିନସନଙ୍କୁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ନିଲମ୍ବିତ କରିଛି ଇସିବି । ବର୍ଷ 2012 ଓ 2013ରେ ରବିନସନ କିଛି ବିବାଦୀୟ ଟ୍ବିଟ କରିଥିଲେ । ଏହାକୁ ନେଇ ଶୃଙ୍ଖଳାଗତ ତଦନ୍ତ ଚାଲିଥିବାରୁ ରବିନସନଙ୍କୁ ନିଲମ୍ବିତ କରାଯାଇଥିବା ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ରବିବାର ଘୋଷଣା କରିଛି ।
ଏଥିସହ ଏଜବାଷ୍ଟନରେ ଜୁନ 10ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ରବିନସନ ଖେଳିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛି ବୋର୍ଡ ।
ଖୁବଶୀଘ୍ର ରବିନସନ ଇଂଲଣ୍ଡ କ୍ୟାମ୍ପ ଛାଡିବେ ଓ ନିଜ ଦେଶକୁ ଫେରିବେ । ଏକ ଘୋଷଣାନାମାରେ ଏହା କହିଛି ଇସିବି ।
ପୂର୍ବରୁ ରବିନସନ, ଏହି ମାମଲାରେ ''ନିଃସର୍ତ୍ତ କ୍ଷମାପ୍ରାର୍ଥନା'' କରିସାରିଛନ୍ତି । ନାବାଳକ ଥିବାବେଳେ ଟ୍ବିଟରରେ ବିବାଦୀୟ ଜାଣିଆଣ ଓ ଲିଙ୍ଗଗତ ଟିପ୍ପଣୀ କରିଥିଲେ । ଏପରି ଆଚରଣରେ ସେ ଲଜ୍ଜିତ ବୋଲି ସ୍ବୀକାର କରିଥିଲେ ରବିନସନ । ବର୍ଷ 2012-13ରେ ସେ କରିଥିବା ଟ୍ବିଡ ଗୁଡିକ ସେତେବେଳେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।
"ସେହିପରି ଟିପ୍ପଣୀ କରିବା ଉଚିତ ନଥିଲା, ଏପରି କାର୍ଯ୍ୟରେ ଗଭୀର ଭାବେ ଦୁଃଖିତ ଓ ଲଜ୍ଜିତ । ଏହା ଦାୟିତ୍ବହୀନ ଓ ବିଚାରହୀନ କାର୍ଯ୍ୟ । ଏପରି ଆଚରଣ ଅକ୍ଷମଣୀୟ" ବୋଲି କହିଛନ୍ତି ରବିନସନ ।
କୌଣସି ପ୍ରକାର ଭେଦଭାବ ମାମଲାରେ ବୋର୍ଡର ଜିରୋ ଟଲରାନ୍ସ ନୀତି ବୋଲି ପୂର୍ବରୁ ଇସିବି ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଟମ ହରିସନ ସ୍ପଷ୍ଟ କରିସାରିଛନ୍ତି । ଶୃଙ୍ଖଳାଗତ କମିଟି ତଦନ୍ତ ଜାରି ରଖିଛି । ଇଂଲଣ୍ଡର ଜଣେ ପୁରୁଷ ଟିମ ଖେଳାଳିଙ୍କ ଏପରି ଆଶୋଭନୀୟ ଆଚରଣକୁ ବୟାନ କରିବାକୁ ଶବ୍ଦ କମ ପଡୁଛି ଓ ଦୁଃଖିତ ବୋଲି ହରିସନ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ