କଟକ: ଓଡ଼ିଶା କ୍ରିକେଟ ସଂଘରେ ଯୋଗ ଦେବାପରେ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ନବ ନିଯୁକ୍ତ କୋଚ୍ ୱାସିମ ଜାଫର । ନବ ନିଯୁକ୍ତ ମୁଖ୍ୟ କୋଚ ୱାସିମ ଜାଫରଙ୍କ ଭିଜନରେ ଆରମ୍ଭ ହେଲା ଓଡି଼ଶା ଖେଳାଳିଙ୍କ ଅଭ୍ୟାସ । 3 ଘଣ୍ଟାରୁ ଅଧିକ ସମୟ ଧରି ଜୋରଦାର ଅଭ୍ୟାସ ପରେ ନେଟ୍ସରେ ସମସ୍ତ ଖେଳାଳିଙ୍କ ତ୍ରୁଟି ଖୋଜି ବାହାର କରିଛନ୍ତି ଜାଫର ।
ଖେଳାଳୀଙ୍କ ବ୍ୟାଟିଂଶୈଳୀ ସହିତ ବୋଲିଂ ଓ ଫିଲ୍ଡିଂ ଆଦିକୁ ଅନୁଧ୍ୟାନ କରିଛନ୍ତି ଓସିଏର ମୁଖ୍ୟକୋଚ୍ । ବର୍ତ୍ତମାନ କ୍ରିକେଟରଙ୍କ ମନୋବଳ ବୃଦ୍ଧି କରିବା ଲକ୍ଷ୍ୟରେ ରହିଛନ୍ତି ୱାସିମ ଜାଫର । ଜାତୀୟ ଦଳରେ ଓଡ଼ିଶା କ୍ରିକେଟର କିଭଳି ଚୟନ ହୋଇ ପାରିବେ ତାହାକୁ ନେଇ ସେ କୋଚିଂ ଆରମ୍ଭ କରିଛନ୍ତି । ଏଥିପାଇଁ ତାଙ୍କ ପାଖରେ ଥିବା ସମସ୍ତ ଦକ୍ଷତାକୁ ସେ ଓସିଏ ପାଇଁ ସମର୍ପିତ କରିବେ ବୋଲି କହିଛନ୍ତି ।
ଗତ ସିଜିନରେ ଓଡ଼ିଶା ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଅଳ୍ପ କିଛି ଖେଳାଳୀଙ୍କ ବ୍ୟାଟିଂ ଲାଇନ ଠିକ୍ ଠାକ୍ ଥିବା ବେଳେ ବୋଲିଂ ଓ ଫିଲ୍ଡିଂରେ ଓଡ଼ିଶାର ପ୍ରଦର୍ଶନ ଦୁର୍ବଳ ରହିଛି। ଆଗାମୀ ଦିନରେ ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହାପୂର୍ବରୁ ସମସ୍ତ ଖେଳାଳିଙ୍କୁ ଫର୍ମକୁ ଫେରିବାକୁ ହେବ । ଦଳର ଓପେନିଂ, ମିଡିଲ ଅର୍ଡରକୁ ଏବେଠାରୁ ହିଁ ସଜାଡ଼ିବାକୁ ପଡ଼ିବ । ବୋଲିଂ ଓ ଫିଲ୍ଡିଂ ଉପରେ ଦଳକୁ ଅଧିକ ଧ୍ୟାନ ଦେବା ଆବଶ୍ୟକତା ରହିଛି ।