ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ଅକ୍ଟୋବର- ନଭେମ୍ବର ମାସରେ ଆୟୋଜନ ହେବ ଦିନିକିଆ ବିଶ୍ଵକପ୍ ୨୦୨୩ । ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏକ ଅଭିନବ ଶୈଳୀରେ ଟ୍ରଫିର ଅନାବରଣ କରିଛି । ବିଶ୍ବର କୌଣସି ସ୍ଥାନରେ ନୁହେଁ, ବରଂ ମହାକାଶରେ ଏହି ଟ୍ରଫିକୁ ଅନାବରଣ କରାଯାଇଛି । ବିସିସିଆଇ ସଚିବ ଜୟ ଶାହ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏହି ବିଶ୍ଵକପ୍ ଟ୍ରଫିକୁ ମହାକାଶରେ ଅନାବରଣ କରାଯାଇଥିବା ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ କୌଣସି ଖେଳର ଟ୍ରଫିକୁ ମହାକାଶକୁ ପଠାଯାଇଛି ଏବଂ ସେଠାରେ ଏହାର ଅନାବରଣ କରାଯାଇଛି ବୋଲି ଲେଖିଛନ୍ତି ଜୟ ଶାହା । ବିସିସିଆଇ ସଚିବଙ୍କର ଏହି ଟ୍ବିଟ୍କୁ ବିସିସଆଇ ଅଫିସିଆଲ୍ ହ୍ୟାଣ୍ଡେଲ୍ରେ ରି-ଟ୍ବିଟ୍ କରାଯାଇଛି ।
ସୂଚନା ଅନୁସାରେ ଦିନିକିଆ ବିଶ୍ଵକପ୍ ୨୦୨୩ର ଏହି ଟ୍ରଫିକୁ ଗତ ଜୁନ ୨୪ରେ ସ୍ପେସ ଅଫିସକୁ ପଠାଯାଇଥିଲା । ବିଶ୍ବ ଖେଳ ଇତିହାସରେ ପ୍ରଥମ ଥର ପାଇଁ ୧ ଲକ୍ଷ ୨୦ ହଜାର ଫୁଟ୍ ଉଚ୍ଚତାରେ କୌଣସି ଟ୍ରଫିର ଅନାବରଣ କରାଯାଇଛି । ସେଠାରେ ତାପମାତ୍ରା -୬୫ ଡିଗ୍ରୀ ରହିଥିଲା । ମହାକାଶରୁ ଫେରିବା ପରେ ଟ୍ରଫିକୁ ଗୁଜରାଟ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅବତରଣ କରାଯାଇଛି । ବିସିସିଆଇ ସଚିବ ଜୟ ଶାହ ମହାକାଶରେ ଟ୍ରଫିର ଏହି ଭିଡିଓକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି, "କ୍ରିକେଟ୍ ବିଶ୍ଵକପ୍ ୨୦୨୩ ଟ୍ରଫିର ମହାକାଶରେ ଅନାବରଣ କରାଗଲା । ବିଶ୍ବ କ୍ରିକେଟ୍ ପାଇଁ ଏହା ଏକ ବିରଳ ଦୃଶ୍ୟ । ଭାରତରେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ଵକପ୍ ଟ୍ରଫି ଅଭିଯାନର ଏହା ବାସ୍ତବରେ ଏକ ଦମଦାର ଆରମ୍ଭ ହୋଇଛି ।"