ହାଇଦ୍ରାବାଦ: ବଦଳିଲା କ୍ରିକେଟ ନିୟମ । ଅକ୍ଟୋବର ପହିଲାରୁ ଲାଗୁ ହେବ ଆଇସିସିର ( International Cricket Council ) ନୂଆ ନିୟମ । ଏଥର ଟି-୨୦ ବିଶ୍ବକପ ନୂଆ ନିୟମରେ ଖେଳିବେ କ୍ରିକେଟର । ଏନେଇ ଆଇସିସି ଆଜି (ମଙ୍ଗଳବାର) ଏକ ବିଜ୍ଞପ୍ତି ଜାରି କରିଛି । ତେବେ କେଉଁ କେଉଁ ନିୟମରେ ପରିବର୍ତ୍ତନ ହୋଇଛି ଜାଣନ୍ତୁ ।
ନୂଆ ବ୍ୟାଟର ଷ୍ଟ୍ରାଇକ ନେବ:
ଏହି ନିୟମର ଘୋଷଣା ଚଳିତ ବର୍ଷ ମାର୍ଚ୍ଚ ମାସରେ କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି ଯେଉଁ ବ୍ୟାଟର କ୍ୟାଚ ଆଉଟ ହେଉଛନ୍ତି ତାଙ୍କ ସ୍ଥାନରେ ଆସୁଥିବା ନୂଆ ବ୍ୟାଟର ଷ୍ଟ୍ରାଇକ ନେବେ ।
ବଲରେ ଛେପ ଲଗାଇବା ସବୁ ଦିନ ପାଇଁ ନିଷେଧ:
ପୂର୍ବରୁ ବୋଲରମାନେ ବଲରେ ଛେପ ଲଗାଇ ବୋଲିଂ କରୁଥିଲେ । ହେଲେ କରୋନା ସଂକ୍ରମଣ ପାଇଁ ବଲରେ ଲାଳ ଲଗାଇବାକୁ ମନା କରାଯାଇଥିଲା । ଦୁଇ ବର୍ଷ ହେବ ଏହା ବ୍ୟାନ ହୋଇଥିଲା । ତେବେ ଆଇସିସିର ନୂତନ ନିୟମରେ ଏହାକୁ ସବୁଦିନ ପାଇଁ ନିଷେଧ କରାଯାଇଛି ।
ଦିନିକିଆ ଏବଂ ଟେଷ୍ଟ ମ୍ୟାଚରେ ସମୟ ସମାପ୍ତ:
ପୂର୍ବରୁ ଦିନିକିଆ ମ୍ୟାଚ ଏବଂ ଟେଷ୍ଟ ମ୍ୟାଚରେ ୱିକେଟ ପଡିଲେ ବ୍ୟାଟର ଷ୍ଟ୍ରାଇକ ନେବା ପାଇଁ ତିନି ମିନିଟ ସମୟ ଦିଆଯାଉଥିଲା । ତେବେ ଏହି ସମୟ ସୀମାକୁ ଏବେ କମେଇ ଦିଆ ଯାଇଛି । ନୂଆ ନିୟମରେ ଏହା ଜାରି ହୋଇଛି କି କ୍ରିଜରେ ଦୁଇ ଜଣ ବ୍ୟାଟରଙ୍କ ଭିତରୁ ଜଣେ ଆଉଟ ହେଲେ ଦୁଇ ମିନିଟ ଭିତରେ ନୂଆ ବ୍ୟାଟର ଆସି କ୍ରିଜରେ ପହଁଞ୍ଚିବ । ଏବଂ ଟି-୨୦ ଫର୍ମାଟରେ ୯୦ ସେକେଣ୍ଡରେ ବ୍ୟାଟର ପରିବର୍ତ୍ତନ ହେବେ ।
ବଲ ଖେଳି ପାରିବେ ବ୍ୟାଟର:
ଯଦି ବୋଲର ଭୁଲରେ ପିଚ ବଦଳରେ ଅନ୍ୟ ଜାଗାରେ ବଲ ପକାନ୍ତି ତାହେଲେ ପିଚରେ ଥିବା ବ୍ୟାଟର ବଲକୁ ଖେଳି ପାରିବେ । କିନ୍ତୁ ବ୍ୟାଟରଙ୍କ ବ୍ୟାଟ କିମ୍ବା ଗୋଡ ପିଚ ସହିତ ଜଡିତ ଥିବା ଦରକାର ।
ପାଞ୍ଚ ରନ ପେନାଲ୍ଟି :
ବ୍ୟାଟର କ୍ରିଜରେ ରନ ପାଇଁ ଦୌଡିବା ସମୟରେ ଯଦି ବୋଲିଂ ଟିମ ତରଫରୁ କୌଣସି ପ୍ରକାର ଦୁର୍ବ୍ୟବହାର କରାଯାଏ ତାହେଲେ ଅମ୍ପୟାର ସେହି ବଲକୁ ଡେଡ ବଲ ଦେବା ସହିତ ବ୍ୟାଟିଂ ଟିମକୁ ପାଞ୍ଚ ରନ ପେନାଲ୍ଟି ଦେଇପାରିବେ ।
ଷ୍ଟମ୍ପ ଥ୍ରୋ ଡେଡ୍ ବଲ:
ପ୍ରଥମେ ବୋଲର ଏହା ଦେଖୁଥିଲା କି ବୋଲିଂ କରିବା ପୂର୍ବରୁ ବ୍ୟାଟର ମୁଭମେଣ୍ଟ କରୁଛି ତାହେଲେ ବୋଲର ସେହି ବ୍ୟାଟରକୁ ରନ ଆଉଟ କରିବା ପାଇଁ ଷ୍ଟମ୍ପକୁ ବଲ ଫିଙ୍ଗିଥାଏ । ଏବେ ଏହି ଭଳି ବଲକୁ ଡେଡ ବଲ ଭାବରେ ଘୋଷଣା କରାଯାଇଛି ।