ହାଇଦ୍ରାବାଦ: ଅକାଳରେ ଯୁବ ଜାତୀୟ ପାରା ସୁଇମିଂ ଚମ୍ପିଆନ ଅମର୍ତ୍ତ୍ୟ ଚକ୍ରବର୍ତ୍ତୀଙ୍କ ପରଲୋକ ଘଟିଛି । ୧୯ ବର୍ଷ ବୟସରେ ସେ ଦିଲ୍ଲୀ ସ୍ଥିତ ଜିବି ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ହୋଇ ଶଯ୍ୟାଶାୟୀ ରହିଥିଲେ ।
ରିପୋର୍ଟ ମୁତାବକ ୧୯ ବର୍ଷ ବୟସ୍କ ଯୁବ ପାରାକ୍ରୀଡ଼ାବିତ୍ଙ୍କ ମେରୁଦଣ୍ଡରେ ସମସ୍ୟା ଦେଖା ଦେଇଥିଲା । ତାଙ୍କ ମେରୁଦଣ୍ଡର ତଳଭାଗ କାମ କରିବା ବନ୍ଦ କରି ଦେଇଥିଲା । ଫଳରେ ସେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ହୋଇ ରହିଥିଲେ । ମେଡିକାଲ ଭାଷାରେ ଏହାକୁ (arteriovenous malformation) ଆର୍ଟିଓଭେନସ ମାଲଫର୍ମେଶନ ବୋଲି କୁହାଯାଏ ।
ଏଭଳି ରୋଗର ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଅମର୍ତ୍ତ୍ୟଙ୍କ ବାପାଙ୍କ ପାଖରେ ସମ୍ବଳ ନଥିଲା । ତାଙ୍କ ବାପା ଅମିତୋଶଙ୍କ ମୁତାବକ ଅମର୍ତ୍ତ୍ୟଙ୍କ ଚିକିତ୍ସା କେବଳ ଦିଲ୍ଲୀ ଏମ୍ସ୍, ଇଂଲଣ୍ଡ କିମ୍ବା ଆମେରିକାରେ ସମ୍ଭବ ଥିଲା । ଏଥିରେ ପ୍ରାୟ ୫୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଥାଆନ୍ତା । ପୁଅର ଚିକିତ୍ସା ବାବଦ ଖର୍ଚ୍ଚ ସହାୟତ ପାଇଁ ସେ କ୍ରୀଡ଼ା ମନ୍ତ୍ରାଳୟ, ଜାତୀୟ କ୍ରୀଡ଼ା ପ୍ରାଧୀକରଣ ଓ ଜାତୀୟ ପାରାଲମ୍ପିକ୍ କମିଟି ନିକଟରେ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା ।