ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPL) 2022ରେ ଯୋଡିହେବେ ନୂଆ ଦୁଇଟି ଫ୍ରାଞ୍ଚାଇଜ ଲକ୍ଷ୍ନୌ ଓ ଅହମ୍ମଦାବାଦ । ଫଳରେ ମେଗା ନିଲାମ ପୂର୍ବରୁ ଏହି ଦୁଇ ଟିମର ରୂପରେଖ, ଟିମ ମ୍ୟାନେଜମେଣ୍ଟ, ଖେଳାଳି, ସପୋର୍ଟ ଷ୍ଟାଫ କିଏ ହେବେ ଏହାଉପରେ ସମସ୍ତଙ୍କ ନଜର ରହିଛି । ଟୁର୍ନାମେଣ୍ଟ ପୂର୍ବରୁ ନିଜର ଶକ୍ତି ସଂଗ୍ରହ ତୁଳନାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ ଠାରୁ ପଛରେ ପଡିଯାଇଛି ଅହମ୍ମଦାବାଦ ।
BCCI ପକ୍ଷରୁ କିଛି ଔପଚାରିକ ଅନୁମତିର ଅପେକ୍ଷାରେ ରହିଛି ଫ୍ରାଞ୍ଚାଇଜ୍ । ଅନ୍ୟପଟେ ମୁଖ୍ୟ କୋଚ୍, ସହକାରୀ କୋଚ୍ ଓ ମେଣ୍ଟର ନିଯୁକ୍ତ ପରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ ନିଜର ଟିମକୁ ସଂପୂର୍ଣ୍ଣ କରିବାରେ ଆଉ ପାଦେ ଆଗେଇଛି ।
ଆଗାମୀ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କାଳ୍ପନିକ ଖେଳ ମଞ୍ଚ(Fantasy sports platform) My11Circle ଲକ୍ଷ୍ନୌ ଟିମର ଅଫିସିଆଲ ପ୍ରାୟୋଜକ ହୋଇଛି । ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ ଲକ୍ଷ୍ନୌ ଫ୍ରାଞ୍ଚାଇଜ ସହ ମୁଖ୍ୟ ପ୍ରାୟୋଜକ ଚୁକ୍ତି ସ୍ବାକ୍ଷର କରିଛି My11Circle । ଏହି ଚୁକ୍ତି ୩ବର୍ଷ ପାଇଁ ହୋଇଥିବାବେଳେ, ଲକ୍ଷ୍ନୌ ଟିମର ଜର୍ସିରେ My11Circle ଲୋଗୋ ନଜର ଆସିବ ।