କେପ୍ଟାଉନ୍: ବୁଧବାର ଆରମ୍ଭ ହୋଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ତେବେ ପ୍ରଥମ ପାଳିରେ ହିଁ ରେକର୍ଡ କରିଛନ୍ତି ଭାରତୀୟ ସ୍ପିଡ୍ଷ୍ଟାର ମହମ୍ମଦ ସିରାଜ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ଘାଇଲା କରିଦେଇଥିଲା ସିରାଜଙ୍କ ଘାତକ ଆକ୍ରମଣ । ଘରୋଇ ମାଟିରେ ମଧ୍ୟ ସିରାଜଙ୍କ ବୋଲିଂର ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ ଦକ୍ଷିଣ ଆଫ୍ରିକାର ବଡ଼ ବଡ଼ ବ୍ୟାଟର । ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କ୍ରମକୁ ଚୂରମାର କରିଦେଇଥିଲେ ସିରାଜ । ଏକାକୀ 6ଟି ୱିକେଟ୍ ଅକ୍ତିଆର କରିଥିଲେ ଭାରତର ଏହି ଷ୍ଟାର ବୋଲର । ଦକ୍ଷିଣ ଆଫ୍ରିକା ମାଟିରେ ଘରୋଇ ଦଳ ବିପକ୍ଷରେ ଏହା ସିରାଜଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
ଦ୍ବିତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକୀୟ ଅଦିନାୟକ ଆଡେନ୍ ମାରକ୍ରମ । ହେଲେ ପ୍ରୋଟିୟସ ଅଧିନାୟକଙ୍କର ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଥିଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ । ସେ ପ୍ରଥମେ ମାରକ୍ରମଙ୍କୁ ହିଁ ଶିକାର କରିଥିଲେ । 4ର୍ଥ ଓଭରରେ କେବଳ 2 ରନ ସ୍କୋରରେ ହିଁ ମାରକ୍ରମଙ୍କୁ ପାଭିଲିୟନ ଫେରାଇଥିଲେ ସିରାଜ । ଏହି ପାଳିର 6ଷ୍ଠ ଓଭରରେ ଭେଟରାନ ବ୍ୟାଟର ଡିନ୍ ଏଲଗରଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ସିରାଜ । ଏହାପରେ କ୍ରମାଗତ ଭାବେ ଘାତକ ବୋଲିଂ କରି ଟୋନି ଜୋର୍ଜି, ଡେଭିଡ ବେଡିଂହାମ୍, ମାର୍କୋ ଜାନ୍ସେନ୍ ଓ ୱିକେଟ୍କିପର କାଇଲ୍ ବେରିନ୍ଙ୍କୁ ମଧ୍ୟ ପାଭିଲିନ ଫେରାଇ ଦେଇଥିଲେ ।