ନୂଆଦିଲ୍ଲୀ: ବିଶ୍ବକପ୍ ୨୦୨୩ ଚାଲିଥିବା ସମୟରେ ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଥିଲେ ପାକିସ୍ତାନର ଏକାଧିକ ପୂର୍ବତନ କ୍ରିକେଟର । ଭାରତୀୟ କ୍ରିକେଟର ଓ ବିସିସିଆଇକୁ ବେଶ ସମାଲୋଚନା କରିଥିଲେ ପାକ୍ର ଏହି ପୂର୍ବତନ ଖେଳାଳିମାନେ । ବିଭିନ୍ନ ଅଜବ ଯୁକ୍ତି ପାଇଁ ତାଙ୍କ ନିଜ ଦେଶର କିମ୍ବଦନ୍ତୀ ବୋଲର ୱାସିମ ଆକ୍ରମ ମଧ୍ୟ ସେମାନଙ୍କ ବୟାନକୁ ସମାଲୋଚନା କରିଥିଲେ । ଏବେ ଭାରତୀୟ ସ୍ପିଡ୍ଷ୍ଟାର ମହମ୍ମଦ ଶାମି ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ଆଇସିସି ଦିନିକିଆ ବିଶ୍ବକପ୍ ୨୦୨୩ରେ ମହମ୍ମଦ ଶାମି ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ଅନ୍ୟ ବୋଲରଙ୍କ ଠାରୁ କମ ମ୍ୟାଚ୍ ଖେଳି ସେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ । ସେ ବିଶ୍ବକପ୍ ୨୦୨୩ରେ କେବଳ ୭ ମ୍ୟାଚ୍ ଖେଳି ୨୪ ୱିକେଟ ନେଇଥିଲେ । ଭାରତର ପ୍ରଥମ ୪ ମ୍ୟାଚ୍ରେ ଶାମି ଖେଳିନଥିଲେ । କିନ୍ତୁ ବାଂଲାଦେଶ ବିପକ୍ଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାପରେ ଶାମିଙ୍କୁ ସୁଯୋଗ ମିଳିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରୁ ହିଁ ସେ ଜଲ୍ୱା ଦେଖାଇବା ଆରମ୍ଭ କରିଥିଲେ । ଶାମି ୭ ମ୍ୟାଚ୍ରୁ ୩ ଥର ୫ କିମ୍ବା ତା'ଠାରୁ ଅଧିକା ୱିକେଟ୍ ସଫଳତା ହାସଲ କରିଛନ୍ତି । ସେ ଦ୍ରୁତତମ ବୋଲର ଭାବେ ବିଶ୍ବକପ୍ରେ ୫୦ ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି ।
ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ମଧ୍ୟ ବିଶ୍ବକପ୍ ହାରିବା ଶାମିଙ୍କୁ ଯଥେଷ୍ଟ କଷ୍ଟ ଦେଇଛି । ହେଲେ ଏହାଠାରୁ ଅଧିକ କଷ୍ଟ ଦେଇଛି ପାକିସ୍ତାନର ପୂର୍ବତନ ଖେଳାଳିଙ୍କ ଅଜବ ବୟାନ । ବିଶେଷ କରି ପାକିସ୍ତାନର ପୂର୍ବତନ କ୍ରିକେଟର ହାସନ ରାଜାଙ୍କ ବୟାନ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଥିଲା । ଭାରତୀୟ ଚମତ୍କାର ବୋଲିଂ ଦେଖି ହାସନ ରାଜା ଅଜବ ବୟାନ ଦେଇଥିଲେ । ଭାରତୀୟ ବୋଲରଙ୍କୁ ଏକ ଭିନ୍ନ ପ୍ରକାର ବଲ ଦିଆଯାଉଥିବା ସେ ଦାବି କରିଥିଲେ । ଯାହାକୁ ନେଇ ଶାମି କହିଛନ୍ତି, "କିଛି ପାକିସ୍ତାନ ଖେଳାଳି ମୋ ସଫଳତାକୁ ହଜମ କରିପାରୁନାହାନ୍ତି ।"