ଲଣ୍ଡନ:ଭାରତ ବିପକ୍ଷରେ ବାକି ଥିବା ଟେଷ୍ଟ ମ୍ୟାଚ ପାଇଁ ମୋଇନ ଅଲୀ ଇଂଲଣ୍ଡ ଦଳରେ ଉପ ଅଧିନାୟକ ଘୋଷିତ ହୋଇଛନ୍ତି । ଓଭାଲ ପଡ଼ିଆରେ ଆସନ୍ତା ଗୁରୁବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ । ବ୍ୟକ୍ତିଗତ କାରଣରୁ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି ଉପ ଅଧିନାୟକ ତଥା ଇଂଲଣ୍ଡର ୱିକେଟକିପର ବ୍ୟାଟସମ୍ୟାନ ଜୋସ ବଟଲର ।
ଏହାପରେ ତାଙ୍କ ସ୍ଥାନରେ ଦଳରେ ଜନି ବେୟାରଷ୍ଟୋ ୱିକେଟ କିପର ଦାୟିତ୍ବ ନେବେ । ଏହାକୁ ନେଇ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ସୂଚନା ଦେଇଛନ୍ତି । ବଟଲର ଉପ ଅଧିନାୟକ ଦାୟିତ୍ବରେ ମଧ୍ୟ ରହିଥିଲେ । ସେ ଟେଷ୍ଟ ସିରିଜରୁ ଓହରି ଯାଇଥିବାରୁ ତାଙ୍କ ସ୍ଥାନରେ ଏହି ଦାୟିତ୍ବ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଏହି ଦାୟିତ୍ବ ଦେଇଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ।
୩୪ ବର୍ଷୀୟ ମୋଇନ ଅଲୀ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ପକ୍ଷରୁ ୬୩ଟି ଟେଷ୍ଟ ମ୍ୟାଚ ଖେଳି ୧୯୩ଟି ୱିକେଟ ନେଇଛନ୍ତି । ଏହାସହ ସେ ୨୮୭୯ ରନ ମଧ୍ୟ କରିଛନ୍ତି । ଯେଉଁଥିରେ ୫ଟି ଶତକ ମଧ୍ୟ ସାମିଲ ରହିଛି । ଚତୁର୍ଥ ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡ ଦଳରେ ମାର୍କ ଉଡ୍ ଓ ଫାଷ୍ଟ ବୋଲର କ୍ରୀଶ୍ ୱକ୍ସ ସାମିଲ ହୋଇଛନ୍ତି । କାନ୍ଧରେ ଆଘାତ ଯୋଗୁଁ ମାର୍କ ଉଡ ତୃତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡି଼ଥିଲେ । ସେହିଭଳି ମାଂସପେଶୀଜନିତ ଆଘାତ ଯୋଗୁଁ ପ୍ରଥମ ତିନୋଟି ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଥିଲେ ଇଂଲଣ୍ଡ ଷ୍ଟାର ଫାଷ୍ଟ ବୋଲର କ୍ରୀଶ୍ ୱକ୍ସ ।
ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି । ଦୁଇ ଆକ୍ରାମକ ବୋଲର ଦଳରେ ସାମିଲ ହେବାପରେ ଦଳ ଅଧିକ ଶକ୍ତିଶାଳୀ ହେବ । ଏହା ଭାରତ ପ୍ରଦର୍ଶନ ଉପରେ କେତେ ପ୍ରଭାବ ପକାଇବ ତାହାରି ଉପରେ ରହିଛନ୍ତି କ୍ରିକେଟ ଫ୍ୟାନଙ୍କ ନଜର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ