ଓଡିଶା

odisha

ETV Bharat / sports

IND vs PAK: ସ୍ମୃତିରେ ପାକ୍‌ ବିପକ୍ଷରେ ଭାରତର ପ୍ରଥମ ବିଶ୍ବକପ ବିଜୟ, ମିଆଁଦାଦଙ୍କ ମଙ୍କି ଜମ୍ପ୍‌ - ଭାରତ ପାକିସ୍ତାନ ମ୍ୟାଚ୍‌ ରେକର୍ଡ

ବର୍ଷ ୧୯୯୨, ତାରିଖ ଥିଲା ମାର୍ଚ୍ଚ ୪, ମୈଦାନ ଥିଲା ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ପ୍ରଥମ ଥର ପାଇଁ ଏକ ଦିନିକିଆ ବିଶ୍ବକପରେ ମୁହାଁମୁହିଁ ହୋଇଥିଲେ । ଲୋ ସ୍କୋରିଂ ମ୍ୟାଚ୍‌ ହୋଇଥିଲେ ବି ଭାରତ ଓ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଏବେବି କ୍ରିକେଟପ୍ରେମୀଙ୍କ ପାଇଁ ସ୍ମରଣୀୟ ହୋଇରହିଛି । ଅଧିକ ପଢନ୍ତୁ

Miandad's monkey jumps endure in memories of India's 1st World Cup win over Pak
IND vs PAK: ସ୍ମୃତିରେ ପାକ୍‌ ବିପକ୍ଷରେ ଭାରତର ପ୍ରଥମ ବିଶ୍ବକପ ବିଜୟ, ମିଆଁଦାଦଙ୍କ ମଙ୍କି ଜମ୍ପ୍‌

By

Published : Oct 22, 2022, 6:14 PM IST

Updated : Oct 22, 2022, 6:46 PM IST

ହାଇଦ୍ରାବାଦ:ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ହେଲେ ଦୁଇଦେଶ ସହିତ ସାରା ବିଶ୍ବର ଧ୍ୟାନ କ୍ରିକେଟ ପଡିଆରେ କେନ୍ଦ୍ରୀଭୁତ ହୋଇଯାଏ । ତେବେ ପ୍ରତ୍ୟେକ ମ୍ୟାଚ୍‌ରେ ହାର୍‌ ଜିତ୍‌ ଥିଲେ ବି ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଏହି ଦୁଇ ଦେଶର ଖେଳାଳି କିମ୍ବା ଦର୍ଶକଙ୍କୁ ପରାଜୟ ମଞ୍ଜୁର ନଥାଏ । କେହି ପରାଜୟ ସ୍ବୀକାର କରିବାକୁ ପ୍ରସ୍ତୁତ ନଥାନ୍ତି । ପଡିଆରେ ଦେଖିବାକୁ ମିଳେ କଡା ଟକ୍କର । ଭାରତ ଓ ପାକିସ୍ତାନ ପ୍ରଥମ ଥର ପାଇଁ ଏକ ଦିନିକିଆ ବିଶ୍ବକପରେ ମୁହାଁମୁହିଁ ହୋଇଥିଲେ, ଯେବେ ବର୍ଷ ୧୯୯୨, ତାରିଖ ଥିଲା ମାର୍ଚ୍ଚ ୪, ମୈଦାନ ଥିଲା ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡ । ଲୋ ସ୍କୋରିଂ ମ୍ୟାଚ୍‌ ହୋଇଥିଲେ ବି ଭାରତ ଓ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଏବେବି କ୍ରିକେଟପ୍ରେମୀଙ୍କ ପାଇଁ ସ୍ମରଣୀୟ ହୋଇରହିଛି ।

ଟିମ ଇଣ୍ଡିଆ ଓ ପାକିସ୍ତାନ ଟିମରେ ସେତେବେଳେ ଷ୍ଟାର ଖେଳାଳିଙ୍କ କମି ନଥିଲା । କପିଳ ଦେବ, ମହମ୍ମଦ ଆଝାରୁଦ୍ଦିନ, କ୍ରିସ ଶ୍ରୀକାନ୍ତ, ଅଜୟ ଜାଡେଜା ଓ କିମ୍ବଦନ୍ତୀ ବନିବାକୁ ଯାଉଥିବା ସଚିନ ତେନ୍ଦୁଲକର ରହିଥିଲେ । ଅନ୍ୟପଟେ ପାକିସ୍ତାନ ଟିମରେ ରହିଥିଲେ ଇମ୍ରାନ ଖାନ୍‌, ଜାଭେନ ମିଆଁଦାଦ, ୱାସିମ ଆକ୍ରମ, ଆମେର ସୋହେଲ ଓ ଯୁବ ଖେଳାଳି ଇଞ୍ଜାମାମଙ୍କ ଭଳି ଧୂରନ୍ଦର ଖେଳାଳି । ଏହି ଟୁର୍ଣ୍ଣାମେଣ୍ଟ ଇଞ୍ଜାମାମଙ୍କ ପାଇଁ ଥିଲା ପଦାର୍ପଣ ଟୁର୍ଣ୍ଣାମେଣ୍ଟ । ମ୍ୟାଚ୍‌ ଅତି ସଂଘର୍ଷପୂର୍ଣ୍ଣ ଥିଲା ଓ ଭାରତୀୟ ଟିମ ପ୍ରଭାବୀ ପ୍ରଦର୍ଶନ ସହ ୪୩ ରନ୍‌ରେ ବିଜୟୀ ହୋଇଥିଲା । ସେବେଠାରୁ ODI ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ୭ଟି ମ୍ୟାଚ୍‌ରେ କେବେ ପରାଜୟର ସାମ୍ନା କରିନି ଭାରତ ।

ତେବେ ଏହି ମ୍ୟାଚ୍‌ରେ ଏପରି ଏକ ଘଟଣା ଘଟିଥିଲା ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ସ୍ମରଣୀୟ ପାଲଟି ଯାଇଥିଲା । ମ୍ୟାଚ୍‌ ସମୟରେ ଭାରତୀୟ ୱିକେଟ କିପର କିରଣ ମୋରେ ବୋଲରଙ୍କୁ ଲଗାତାର ଉତ୍ସାହିତ କରୁଥାନ୍ତି । ଏହାକୁ ୱିକେଟ ପଛରୁ ପାକ୍‌ ବ୍ୟାଟରଙ୍କ ଉପରେ ଚାପ ପକାଇବା ସହ ଧ୍ୟାନ ଭଙ୍ଗ କରିବାର ରଣନୀତି ମଧ୍ୟ କୁହାଯାଇପାରେ । ତେବେ ପାକିସ୍ତାନର ପରାଜୟ ପରେ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଜାଭେଦ ମିଆଁଦାଦ । ୩୫ ବର୍ଷୀୟ ଜାଭେଦ ଭୀଷଣ ଚିଡି଼ ଯାଇଥିଲେ ଓ ୱିକେଟ କିପର କିରଣ ମୋରେଙ୍କୁ ଜବାବ ଦେବାକୁ ଯାଇ ଏକ ଭିନ୍ନ ଆଚରଣ କରିଥିଲେ, ଯାହା ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ, ଖେଳାଳି ତଥା ମ୍ୟାଚ୍‌ର ସାକ୍ଷୀ ପାଲଟିଥିବା ଫ୍ୟାନ୍ସଙ୍କ ପାଇଁ ବେଶ୍‌ ରୋଚକ ସ୍ଥିତି ସୃଷ୍ଟି କରିଥିଲା । ଏହାକୁ ଜାଭେଦଙ୍କ ମଙ୍କି ଜମ୍ପ୍‌(Miandad's monkey jumps) ବୋଲି କୁହାଗଲା ।

ଐତିହାସିକ ସିଡନୀ କ୍ରିକେଟ ଗ୍ରାହଉଣ୍ଡରେ ଖେଳାଯାଇଥିବା ଏହି ସ୍ମରଣୀୟ ମ୍ୟାଚ୍‌ରେ, ଆଝାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ଶୀଘ୍ର ଓପନର ଶ୍ରୀକାନ୍ତଙ୍କ ୱିକେଟ ହରାଇଥିଲା ଭାରତ, ମାତ୍ର ଜାଡେଜା ଓ ଆଝାରୁଦ୍ଦିନ ସ୍କୋର୍‌ ବୋର୍ଡକୁ ଆଗକୁ ବଢାଇବା ସହ ୮୬ରେ ପହଞ୍ଚାଇଥିଲେ । ଏହାପରେ ଆଝାର ପାଭିଲିୟନ ଫେରିଥିଲେ । ସିଡନୀ ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଉଥିବାରୁ, ବୋଲିଂ ଶକ୍ତିଶାଳୀ ପାକ୍‌ ଟିମର ଦ୍ରୁତ ବୋଲର ଏହାର ଭରପୁର ଫାଇଦା ଉଠାଇଥିଲେ ।

ଜାଡେଜା ୪୬ ରନ୍‌ର ଇଂନିସ ଖେଳିଥିଲେ ମାତ୍ର ବ୍ୟାଟିଂ ଇଂନିସର ହିରୋ ରହିଥିଲେ ସଚିନ ତେନ୍ଦୁଲକର ଓ କପିଳ ଦେବ । ୧୮ ବର୍ଷୀୟ ସଚିନ୍‌ ୬୨ ବଲ୍‌ରୁ ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ପରେ କପିଳ ଦେବ ଶେଷ ଭାଗରେ ଫିନିସର ରୋଲ୍‌ ନିଭାଇ ୨୫ ବଲ୍‌ରୁ ୩୫ ରନ୍‌ର ଇଂନିସ ଖେଳି ଭାରତର ସ୍କୋର ୨୧୬/୭ରେ(୪୯ ଓଭର) ପହଞ୍ଚାଇଥିଲେ ।

ଜବାବରେ ପାକିସ୍ତାନ ମଧ୍ୟ ଧୀମା ଆରମ୍ଭ କରିଥିଲା । ଇଞ୍ଜାମାମ-ଉଲ୍‌-ହକ୍‌ ୨, ଜାହିଦ ଫଜଲ ୨ ୧୭ ରନ୍‌ ମଧ୍ୟରେ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ । ତେବେ ଆମିର ସୋହେଲ ଓ ମିଆଁଦାଦ ପାକିସ୍ତାନର ବ୍ୟାଟିଂ ସମ୍ଭାଳିବା ସହ ୧୦୦ ରନ୍‌ ପାର୍‌ କରାଇଥିଲେ । ପାକ୍‌ ପାଖରେ ସଲିମ ମଲିକ, ୱାସିମ ଆକ୍ରମ ଓ ମୋଇନ ଖାନ୍‌ଙ୍କ ପରି ଖେଳାଳି ରହିଥିଲେ । ମାତ୍ର ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆକ୍ରମଣାତ୍ମକ ରଣନୀତି ପାକ୍‌ ବ୍ୟାଟରଙ୍କୁ ଭୁଲ କରିବାକୁ ବାଧ୍ୟ କରିଥିଲା । ୩୧ ଓଭର ସୁଦ୍ଧା ୧୦୫ ରନ୍‌ରେ ସୋହେଲଙ୍କ(୬୨ରନ୍‌, ୯୫ ବଲ୍‌) ୱିକେଟ ହରାଇଥିବା ପାକିସ୍ତାନ, ୩୯ ଓଭର ସୁଦ୍ଧା ୧୪୧/୬ ରନ୍‌ରେ ପହଞ୍ଚାଯାଇଥିଲା । ଭେଙ୍କଟସ ରାଜୁଙ୍କ ବଲ୍‌ରେ ଆକ୍ରମଙ୍କୁ ଷ୍ଟମ୍ପ୍‌ ଆଉଟ୍‌ କରିଥିଲେ ମୋରେ ।

ପାକିସ୍ତାନ ପାଇଁ ଏକମାତ୍ର ଆଶା ଥିଲେ ମିଆଁଦାଦ । ରନ୍‌ ପାଇଁ ସଂଘର୍ଷ କରିଥିଲେ ପାକ୍‌ ଖେଳାଳି । ଚାପ ବଢିବାରେ ଲାଗିଥିଲା । ମିଆଁଦାଦ ୧ ରନ୍‌ ଚୋରାଇ ନେବାକୁ ଚାହୁଁଥିବାବେଳେ ତାଙ୍କର ପାର୍ଟନର ମନା କରିଦେଇଥିଲେ, ସେପଟେ ମୋରେ ବେଲ୍‌ ଉଡାଇଦେବା ପୂର୍ବରୁ ପହଞ୍ଚିବା ସହ ଅଳ୍ପକେ ନିଜର ୱିକେଟ ବଞ୍ଚାଇଥିଲେ । ନିଜ ସଂଘର୍ଷରେ ନିରାଶ ହୋଇ ମିଆଁଦାଦ ଭାରତୀୟ ଫିଲ୍ଡରଙ୍କ ମଜାକ ଉଡାଇଥିଲେ । ପିଲ୍ଡରଙ୍କ ପରି ନଇଁ କି ମାଙ୍କଡ ପରି ଡିଆଁ ମାରିଥିଲେ । ମୋରେ କିନ୍ତୁ ଏଥିରେ ଖୁସି ନଥିଲେ ଓ ବୋଲରଙ୍କୁ ପୂର୍ବପରି ଉତ୍ସାହିତ କରିବା ବାହାନାରେ ମିଆଁଦାଦଙ୍କୁ ଛିଗୁଲେଇଥିଲେ । ତେବେ ଶେଷରେ ମ୍ୟାଚ୍‌ର ଫଳାଫଳ ଭାରତ ସପକ୍ଷରେ ଯାଇଥିଲା ଓ ଏହି ଲଢେଇ ଭାରତ ୪୩ ରନରେ ଜିତିନେଇଥିଲା । ଏହା ଥିଲା ପାକିସ୍ତାନ ବିପକ୍ଷରେ ଭାରତର ପ୍ରଥମ ବିଶ୍ବକପ ମ୍ୟାଚ୍‌ ବିଜୟ(India's 1st World cup win over Pakistan) । ତେବେ ପାକିସ୍ତାନ ଏହି ସଂସ୍କରଣରେ ଇଂଲଣ୍ଡକୁ ଫାଇନାଲରେ ହରାଇ ପ୍ରଥମ ଓ ଏକମାତ୍ର ODI ବିଶ୍ବକପ ଟ୍ରଫି ହାତେଇଥିଲା ।

ଭାରତ ଓ ପାକିସ୍ତାନ ପୁଣିଥରେ ଏକ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨୨ରେ(ରବିବାର) ଭାରତ ଓ ପାକିସ୍ତାନ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ବକପ ୨୦୨୨(T20 World cup 2022 ) ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌କୁ ନେଇ ଦୁଇ ଦେଶର କ୍ରିକେଟ ଫ୍ୟାନ୍ସ ଓ ଖେଳାଳି ପୁଣିଥରେ ଉତ୍ସାହିତ ହୋଇପଡିଛନ୍ତି । ତେବେ ନିକଟରେ ଦୁଇ ଦେଶର କ୍ରିକେଟ ବୋର୍ଡ ଶୀର୍ଷ ଅଧିକାରୀ ମଧ୍ୟ ମୁହାଁମୁହିଁ ହୋଇଥିବାରୁ ଏଥର ମ୍ୟାଚ୍‌ ଆହୁରି ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।

Last Updated : Oct 22, 2022, 6:46 PM IST

ABOUT THE AUTHOR

...view details