ନୂଆଦିଲ୍ଲୀ:କ୍ବିଣ୍ଟନ ଡି କକ୍ଙ୍କ ଅପରାଜିତ 70 ରନ୍ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ହରାଇଛି । ଅରୁଣ ଜେଟଲି ଷ୍ଟାଡିୟମ, ଦିଲ୍ଲୀରେ ଖେଳାଯାଇଥିବା ଏହି ମ୍ୟାଚରେ 172 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ମୁମ୍ବାଇ । ଅଲରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟା ଓ ଓପନର ଡି କକ୍ଙ୍କ ମଧ୍ୟରେ ତୃତୀୟ ୱିକେଟ ଯୋଡିରେ 63 ରନ୍ର ମ୍ୟାଚ ବିଜୟୀ ଭାଗିଦାରୀ ବଳରେ ମୁମ୍ବାଇର ବିଜୟ ସୁନିଶ୍ଚିନ୍ତ ହୋଇଥିଲା । ଫଳରେ ନିର୍ଦ୍ଧାରିତ ବିଜୟ ଲକ୍ଷ୍ୟକୁ 9ଟି ବଲ୍ ବାକି ଥାଇ ହାସଲ କରିନେଇଥିଲା ଡିଫେଣ୍ଡିଂ ଚମ୍ପିଆନ ।
ପୂର୍ବରୁ ପାଞ୍ଚଥର ଆଇପିଏଲ ଚମ୍ପିଆନ ହୋଇସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ,ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ଆମନ୍ତ୍ରଣ କରିବା ସହ 171/4ରେ ରୋକିଥିଲା । ସ୍ପିନର ରାହୁଲ ଚହର 4 ଓଭରରେ 33 ରନ୍ ବ୍ୟୟରେ ଦୁଇଟି ୱିକେଟ ହାସଲ କରି ସଫଳତମ ବୋଲର ରହିଥିଲେ । ଦୁଇ ଷ୍ଟାର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।