ନୂଆଦିଲ୍ଲୀ: କ୍ରୀଡାପ୍ରେମୀଙ୍କ ପାଇଁ ଖୁସିଖବର । ରବିବାର, ଜୁଲାଇ 11, ଏକ ବ୍ୟସ୍ତସୂଚୀର ଦିନ । ମୁକାବିଲା ଏପରି ରହିଛି ଯେ କ୍ରୀଡାପ୍ରେମୀ ପସନ୍ଦର ମ୍ୟାଚ ଦେଖିବା ଚୟନ କରିବା ମୁସ୍କିଲ ହୋଇଯିବ । କ୍ରୀଡା ଇତିହାସରେ ଏକାଧିକ ପ୍ରମୁଖ ଇଭେଣ୍ଟର ସାକ୍ଷୀ ପାଲଟିବେ ଦର୍ଶକ ।
ଫୁଟବଲ ଦୁନିଆର ମୁକୁଟ ବିହୀନ ସମ୍ରାଟ ଆର୍ଜେଣ୍ଟିନାର ଲିଓନେସ ମେସିଙ୍କ ପାଖରେ ଇତିହାସ ରଚିବାକୁ ସୁଯୋଗ ରହିଛି । ବିଶ୍ବ ଫୁଟବଲର ଅନ୍ୟତମ ମହାନତମ ଖେଳାଳି ଭାବେ ବିବେଚିତ ମେସି ବାର୍ସେଲୋନା କ୍ଳବ ପକ୍ଷରୁ ଖେଳି ଅନେକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ମାତ୍ର ନିଜ ଦେଶକୁ ଜାତୀୟ ଟିମ ଜର୍ସିରେ ନେତୃତ୍ବ ନେଇ ଅନ୍ତର୍ଜାତୀୟ ଟ୍ରଫି ଜିତାଇ ପାରିନାହାନ୍ତି । ଟିମରେ ମେସିଙ୍କ ଭଳି ଅଦ୍ବିତୀୟ ଖେଳାଳି ଥିଲେ ମଧ୍ୟ ଆର୍ଜେଣ୍ଟିନା 2007, 2015, 2016 ଓ 2014 ବିଶ୍ବକପ ଫାଇନାଲରେ ପରାଜୟର ମୁହଁ ଦେଖିଛି ।
ମେସିଙ୍କ ନେତୃତ୍ବରେ ରବିବାର ସକାଳେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବ୍ରାଜିଲ ସହ କୋପା ଆମେରିକା ଫାଇନାଲରେ ଐତିହାସିକ ରିଓ ଦେ ଜାନେଇରୋର ମାରାକାନା ଷ୍ଟାଡିୟମରେ ଲଢେଇ କରିବ ଆର୍ଜେଣ୍ଟିନା । ଏହି ମ୍ୟାଚ୍ ଭାରତୀୟ ସମୟ ଭୋର୍(ସକାଳ) 4.00ରୁ ଆରମ୍ଭ ହେବ ।
ଶେଷଥର କୋପା ଆମେରିକାରେ ଉଭୟ ବ୍ରାଜିଲ ଓ ଆର୍ଜେଣ୍ଟିନା ମଧ୍ୟରେ କଡା ମୁକାବିଲା ହୋଇଥିଲା ଓ ବ୍ରାଜିଲ ସେମିଫାଇନାଲ ମୁକାବିଲାରେ 2-0ରେ ବାଜିମାରି ନେଇଥିଲା ।
2016 କୋପା ଆମେରିକା ଫାଇନାଲ ମଧ୍ୟ ହାରିଥିଲା ଆର୍ଜେଣ୍ଟିନା । ଚିଲେ ବିପକ୍ଷରେ ଫାଇନାଲ ମ୍ୟାଚରେ ଏକ ପେନାଲିଟି ସୁଟ-ଆଉଟରେ ବିଫଳ ହେବାପରେ ଅବସର ଘୋଷଣା କରିଥିଲେ ।
ବଡ ଟୁର୍ଣ୍ଣାମେଣ୍ଟରେ ଜାତୀୟ ଦଳକୁ ଟ୍ରଫି ବିଜେତା ନ କରାଇପାରିବା ମେସିଙ୍କ ସାମ୍ନାରେ ବଡ ଆହ୍ବାନ ହୋଇଛି । ଏପରିକି ଜାତୀୟ ଟିମ ପ୍ରତି ତାଙ୍କର ପ୍ରତିବଦ୍ଧତା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଆର୍ଜେଣ୍ଟିନା ଫ୍ୟାନ୍ସ ।
ଅନ୍ୟପଟେ ପ୍ରତିଦ୍ବନ୍ଦ୍ବୀ ରୋନାଲ୍ଡୋ ଜାତୀୟ ଟିମ ପର୍ତ୍ତୁଗାଲକୁ ୟୁରୋପିଅନ ଚମ୍ପିଆନସିପ ବିଜୟୀ କରାଇଛନ୍ତି ।
କୋପା ଫାଇନାଲରୁ ଦିନର ଆରମ୍ଭ ହେବାକୁ ଥିବାବେଳେ, Euro 2020 ଫାଇନାଲ ଇଂଲଣ୍ଡ ଓ ଇଟାଲି ମଧ୍ୟରେ ଖେଳାଯିବ । 1966 ବିଶ୍ବକପ ପରେ ଫୁଟବଲରେ ପ୍ରଥମ ବଡ ଅନ୍ତର୍ଜାତୀୟ ଟ୍ରଫି
ଅପେକ୍ଷାରେ ରହିଛି ଇଂଲଣ୍ଡ । ଫଳରେ ୱିମ୍ବଲେ ଷ୍ଟାଡିୟମ ଲଣ୍ଡନରେ ଘରୋଇ ଦର୍ଶକଙ୍କ ସାମ୍ନାରେ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ।
Euro ଇଭେଣ୍ଟର ଆୟୋଜନ ଇଂଲଣ୍ଡ କରୁଥିବା ସତ୍ତ୍ବେ, 1968 ଓ 1996 ସେମିଫାଇନାଲ ପ୍ରବେଶ ଶ୍ରେଷ୍ଠ ପ୍ରଦର୍ଶନ ରହିଛି । 2018 ବିଶ୍ବ କପ ସେମିଫାଇନାରେ ଇଂଲଣ୍ଡ କ୍ରୋଏସିଆ ଠାରୁ ପରାସ୍ତ ହେବାପରେ ଇଂଲିସ ଫ୍ୟାନ୍ସ ନିରାଶ ହେବାସହ ଏକ ଅନ୍ତର୍ଜାତୀୟ ଟ୍ରଫି ଅପେକ୍ଷାରେ ଉତ୍ସୁକତାର ସହ ରହିଛନ୍ତି ।
ଅନ୍ୟପଟେ ଇଟାଲି 1968 ସଂସ୍କରଣର Euro ବିଜେତା ରହିସାରିଛି ଓ 2000 ଓ 2012ରେ ରନର୍ସଅପ ରହିଛି । 2006ରେ ବିଶ୍ବ ଚମ୍ପିଆନ ମଧ୍ୟ ରହିଛନ୍ତି । Euro ଫାଇନାଲ ରବିବାର ବିଳମ୍ବିତ ରାତ୍ରି ଭାରତୀୟ ସମୟ 12.30(ସୋମବାର)ରୁ ଆରମ୍ଭ ହେବ ।
ଏହି ଦୁଇ ମେଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ସହିତ ବିଶ୍ବ ଟେନିସର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ୱିମ୍ବଲଡନ ଫାଇନାଲ ମଧ୍ୟ ରହିଛି । ନୋଭାକ ଜୋକଭିକ ପୁରୁଷ ଏକକ ଫାଇନାଲରେ ମାଟ୍ଟେଓ ବେରେଟିନଙ୍କ ସହ ଲଢେଇ କରିବେ । 20ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ସହ ରୋଜର ଫେଡେରରଙ୍କ ସହ ସମକକ୍ଷ ହେବା ଲକ୍ଷ୍ୟରେ ରହିଛନ୍ତି ଜୋକଭିକ ।
ବିଶ୍ବ ନମ୍ବର 1 ଜୋକଭିକ ପୂର୍ବରୁ 19ଟି ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜୟୀ ହୋଇସାରିଛନ୍ତି ଅନ୍ୟପଟେ ପ୍ରତିଦ୍ବନ୍ଦ୍ବୀ ବେରେଟିନିଙ୍କ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲ ।
ୱିମ୍ବଲଡନ ଫାଇନାଲ ସନ୍ଧ୍ୟାରେ ରହିଛି ।