ହାଇଦ୍ରାବାଦ : ୨୦୨୩ ବର୍ଷ ଗିଲଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚୌକା ଛକା ବର୍ଷା କଲେ ଯୁବ ବ୍ୟାଟର ଶୁବମନ ଗିଲ । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଗିଲ ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ ପ୍ରଥମ ଟି୨୦ ଶତକ ହାସଲ କରିଛନ୍ତି । ଏହା ତାଙ୍କର ଷଷ୍ଠ ଅନ୍ତର୍ଜାତୀୟ ଶତକ । ଏହା ପୂର୍ବରୁ ସେ ଟେଷ୍ଟରେ ଗୋଟିଏ ଶତକ ଏବଂ ଦିନିକିଆରେ ୪ ଟି ଶତକ ହାସଲ କରିଛନ୍ତି । ସେ ୫୪ ବଲରୁ ଶତକ ହାସଲ କରିଛନ୍ତି । ପ୍ରଥମ ୩୫ ବଲରେ ୫୦ ରନର ଇନିଂସ ଖେଳିଥିବା ବେଳେ ପରବର୍ତ୍ତୀ ୧୯ ବଲରେ ୫୧ ରନର ଇନିଂସ ଖେଳି ଟି୨୦ କ୍ୟାରିୟରର ନିଜର ପ୍ରଥମ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି ଶୁବମନ ଗିଲ । ଗିଲଙ୍କ ଧୂଆଁଧାର ଇନିଂସ ବଳରେ ଭାରତ ନ୍ୟଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ୨୩୪ ରନର କରିବାରେ ସକ୍ଷମ ହୋଇଛି । ସେ ୬୩ ବଲରୁ ୧୨ ଟି ଚୌକା ଏବଂ ୭ ଟି ଛକା ବଳରେ ୧୨୬ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି । ପୂର୍ବରୁ 3ଟି ଫର୍ମାଟରେ ଶତକ ହାସଲରେ ସର୍ବକନଷ୍ଠ ରେକର୍ଡ ସୁରେଶ ରାଇନାଙ୍କ ନାମରେ ଥିଲା ।
ଆଜିର ଇନିଂସ ପରେ ଶୁବମନ ଗିଲ କିଛି ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି । ସେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଗୋଟିଏ ପାଳିରେ ସର୍ବାଧିକ ରନ ସଂଗ୍ରହ କରିଥିବା ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି । ଏବଂ ବିଶ୍ବର ଅଷ୍ଟମ କ୍ରିକେଟର ହୋଇଛନ୍ତି । ଏହା ସହିତ ସେ ଟିମ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ ଶତକ ହାସଲ କରିବା ୫ମ କ୍ରିକେଟର ହୋଇଛନ୍ତି । ଏହି କ୍ଲବରେ ସୁରେଶ ରୈନା, ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି ପୂର୍ବରୁ ସାମିଲ ହୋଇଥିଲେ । ଏବେ ୫ମ କ୍ରିକେଟର ଭାବରେ ଗିଲ ଏହି କ୍ଲବରେ ଦମଦାର ଏଣ୍ଟ୍ରି ମାରିଛନ୍ତି । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଏବଂ ଟି୨୦ରେ ସର୍ବାଧିକ ସ୍କୋର ଗିଲଙ୍କ ନାମରେ ରେକର୍ଡ ହୋଇଛି । ଦିନିକିଆରେ ୨୦୮ ରନ ତାଙ୍କର ସର୍ବାଧିକ ସ୍କୋର ରହିଥିବା ବେଳେ ଟି୨୦ରେ ଅପରାଜିତ ୧୨୬ ସର୍ବାଧିକ ସ୍କୋର ରହିଛି ।