ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟରେ (IPL 2022) ଦ୍ବିତୀୟ ଟିମ ଭାବେ ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିଛି କେଏଲ ରାହୁଲଙ୍କ ନେତୃତାଧୀନ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ(LSG) । ବୁଧବାର ସନ୍ଧ୍ୟାରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ 66ତମ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସକୁ(KKR) 2 ରନରେ ହରାଇଛି ଲକ୍ଷ୍ନୌ । ଫଳରେ କୋଲକାତାର ପ୍ଲେ-ଅଫ୍ ଆଶା ଧୂଳିଶାତ୍ ହେବାସହ ଆଇପିଏଲ ୨୦୨୨ ଅଭିଯାନ ଶେଷ ହୋଇଛି । ଶ୍ରେୟ ଆୟରଙ୍କ ନେତୃତାଧୀନ ଟିମ ସମସ୍ତ ୧୪ଟି ଲିଗ ମ୍ୟାଚ୍ ଖେଳି ୧୨ ପଏଣ୍ଟରେ ସନ୍ତୁଷ୍ଟ ହୋଇଛି ।
ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ । ପରେ ସୁପରଜିଆଣ୍ଟ୍ସର ଦୁଇ ଷ୍ଟାର ଓପନର କ୍ବିଣ୍ଚନ ଡିକକ୍ ଓ କ୍ୟାପଟେନ କେଏଲ ରାହୁଲ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଇଂନିସ ଖେଳିଥିଲେ । ଡିକକ୍ ବିସ୍ଫୋରକ ବ୍ୟାଟିଂ ସହ ୭୦ ବଲ୍ରୁ ୧୦ ଚୌକା ଓ ୧୦ ଛକା ସହାୟତାରେ ୧୪୦ ରନ୍ର ମାରାଥନ ଇଂନିସ ଖେଳିଥିଲେ । ସେହିପରି ରାହୁଲ ୫୧ ବଲ୍ରୁ ୬୮ ରନ୍ର ଜବରଦସ୍ତ ଇଂନିସ ଖେଳିଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉଭୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ଓ ରେକର୍ଡ ଭାଗିଦାରୀ କରିଥିଲେ । ଫଳରେ ଆଇପିଏଲ ଇତିହାସରେ ଏକ ବିରଳ ରେକର୍ଡ ଯୋଡିହୋଇଥିଲା ଯେ ବିନା କୌଣସି ୱିକେଟରେ ସୁପରଜିଆଣ୍ଟ୍ସ ସଂପୂର୍ଣ୍ଣ ୨୦ ଓଭର ଖେଳିଥିଲେ ।