ହାଇଦ୍ରାବାଦ: ମୃତ୍ୟୁ କେବେ, କେତେବେଳେ ଆସିଯାଏ କଳ୍ପନା କରିବା କଷ୍ଟକର । କ୍ରିକେଟ କିମ୍ବଦନ୍ତୀ ସେନ ୱାର୍ଣ୍ଣଙ୍କ ସହ ଯାହା ଘଟିଛି ତାହାକୁ ସହଜରେ ବିଶ୍ବାସ କରିପାରୁନି ବିଶ୍ବ କ୍ରିକେଟ ଜଗତ । ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁର କାରଣ ହାର୍ଟ ଆଟାକ ବୋଲି କୁହାଯାଉଛି । ତେବେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଅନ୍ୟଜଣଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେନ ୱାର୍ଣ୍ଣଙ୍କ ଶେଷ ଟ୍ବିଟ୍ଟି ସେ ସାଥୀ କ୍ରିକେଟର ରୋଡ୍ ମାର୍ଶଙ୍କ ପାଇଁ କରିଛନ୍ତି । ମାର୍ଶଙ୍କ ମୃତ୍ୟୁଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ଓ ଇଶ୍ବରଙ୍କ ନିକଟରେ ଆତ୍ମାର ସଦଗ୍ତି କାମନା କରିଛନ୍ତି । ଏଥିସହ ମାର୍ଶଙ୍କ ପରିବାର ବର୍ଗଙ୍କୁ ଏହି ଦୁଃଖଦ ସମୟରେ ଇଶ୍ବର ଧୈର୍ଯ୍ୟ ଧରିବା ପାଇଁ ସହାୟ ହୁଅନ୍ତୁ ବୋଲି ଟ୍ବିଟ୍ରେ ଲେଖିଛନ୍ତି ୱାର୍ଣ୍ଣ।
ଏହାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟ ଖବର ବିଶ୍ବ କ୍ରିକେଟ ଜଗତକୁ ତାଜୁବ କରିଛି । ୱାର୍ଣ୍ଣଙ୍କ ମୃତ୍ୟୁରେ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କ ସମେତ ଅନେକ କ୍ରିକେଟର ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ଯାଦୁଗରୀ ଲେଗସ୍ପିନରଙ୍କ ମୃତ୍ୟୁରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି କ୍ରିକେଟ ଜଗତ ।
ଟେଷ୍ଟ କ୍ରିକେଟରେ କିମ୍ବଦନ୍ତୀ ସ୍ପିନର ୱାର୍ଣ୍ଣଙ୍କ ନାମରେ ରେକର୍ଡ ୭୦୮ଟି ୱିକେଟ ରହିଛି । ଅଷ୍ଟ୍ରେଲିଆ ପକ୍ଷରୁ ଦୀର୍ଘ ୧୫ ବର୍ଷର ଲମ୍ବା ସଫଳତମ ଟେଷ୍ଟ କ୍ୟାରିୟରରେ ୧୪୫ଟି ଟେଷ୍ଟ ଖେଳିଛନ୍ତି । ଶ୍ରୀଲଙ୍କାର ମୁଥୟା ମୂରଲିଧରନଙ୍କ ପରେ ସେ ଦ୍ବିତୀୟ ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ବୋଲର । ସେହିପରି ଅନ୍ତର୍ଜାତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପକ୍ଷରୁ ୧୯୪ଟି ମ୍ୟାଚ୍ ଖେଳି ୨୯୩ ୱିକେଟ ହାସଲ କରିଛନ୍ତି । ଆଇପିଏଲରେ ୫୭ ୱିକେଟ ମଧ୍ୟ ତାଙ୍କ ନାମରେ ରହିଛି ।
ଘାତକ ସ୍ପିନ ବୋଲିଂ ଓ ପ୍ରତିପକ୍ଷ ଟିମର ବ୍ୟାଟ୍ରଙ୍କୁ ଆଉଟ କରିବାର ଅଦ୍ଭୁତ ବୋଲିଂ କୌଶଳ ପାଇଁ ବିଶ୍ବରେ ପ୍ରଖ୍ୟାତ ଥିଲେ ୱାର୍ଣ୍ଣ । ୧୦୦୦ ଅନ୍ତର୍ଜାତୀୟ ୱିକେଟ ହାସଲ କରିବାରେ ସେ ବିଶ୍ବର ପ୍ରଥମ ବୋଲର ହେବାର ରେକର୍ଡ କରିଥିଲେ ।
ଭାରତ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଜାନୁଆରୀ ୧୯୯୨ରେ ଟେଷ୍ଟ ଡେବ୍ୟୁ କରିଥିଲେ ୱାର୍ଣ୍ଣ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଅରୁଣ ଜେଟଲି ଷ୍ଟାଡିୟମରେ(ପୂର୍ବର ଫିରୋଜ ଶାହା କୋଟଲା ଷ୍ଟାଡିୟମ ) ଏପ୍ରିଲ ୧୯, ୨୦୦୮ରେ ଆଇପିଏଲ ଡେବ୍ୟୁ କରିଥିଲେ । ଶେଷ ଆଇପିଏଲ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୱାଙ୍ଖେଡେ ଷ୍ଟାଡିୟମରେ ମଇ ୨୦, ୨୦୧୧ରେ ଖେଳିଥିଲେ । ୱାର୍ଣ୍ଣଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍ସ ବର୍ଷ ୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗର ଉଦ୍ଘାଟନୀ ସଂସ୍କରଣର ଚାମ୍ପିଅନ ହୋଇଥିଲା ।