କଲମ୍ବୋ: ଏସିଆ କପ୍ ୨୦୨୩ରେ କ୍ରମାଗତ ଭାବେ ବିଜୟ ସହ ଫାଇନାଲ୍ରେ ପ୍ରବେଶ କରିସାରିଛି ଭାରତ । ତେବେ ଭାରତର ଏହି ବିଜୟରେ ସ୍ପିନର୍ କୁଲଦୀପ ଯାଦବଙ୍କର ବେଶ ଭୂମିକା ରହିଛି । ଏସିଆ କପ୍ ୨୦୨୩ ଟୁର୍ଣ୍ଣାମେଣ୍ଟରେ କୁଲଦୀପ ଚମତ୍କାର ଫର୍ମରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଏହି ଟୁର୍ଣ୍ଣାମେଣ୍ଟରେ ୯ଟି ୱିକେଟ ନେଇସାରିଲେଣି । ଯାହା ଅନ୍ୟ କୌଣସି ବୋଲରଙ୍କ ତୁଳନାରେ ସର୍ବାଧିକ । ଏପରିକି ଭାରତୀୟ ସ୍ପିନର ଭାବେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି ଏହି ଚାଇନା ମ୍ୟାନ୍ ବୋଲର । ଯେଉଁଥିପାଇଁ ଏବେ ଚାରିଆଡେ କୁଲଦୀପ ଯାଦବଙ୍କ ସ୍ପିନ୍ ବୋଲିଂ ନେଇ ଚର୍ଚ୍ଚା ଜୋର ଧରିଛି ।
ମଙ୍ଗଳବାର ଏସିଆ କପ୍ ସୁପର-୪ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ବେଶ୍ ଜବରଦସ୍ତ ଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶ୍ରୀଲଙ୍କାର ସ୍ପିନ୍ ଆଟାକ୍କୁ ସାମ୍ନା କରିପାରିନଥିଲା । ଫଳରେ କେବଳ ୨୧୩ ରନରେ ସମସ୍ତ ୱିକେଟ ହାରଇଥିଲା ଟିମ୍ ଇଣ୍ଡିଆ । ଯାହାର ଜବାବରେ ଶ୍ରୀଲଙ୍କା ୧୭୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ଏକାବେଳେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ପ୍ରବେଶ କରିଥିଲା । ଆଉ ଏହି ବିଜୟରେ ଟିମ୍ ଇଣ୍ଡିଆ ପାଇଁ ହିରୋ ସାଜିଥିଲେ ଚାଇନା ମ୍ୟାନ୍ ସ୍ପିନର କୁଲଦୀପ ଯାଦବ । ଏହାପୂର୍ବରୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ୫ ୱିକେଟ୍ ସଫଳତା ହାସଲ କରିଥିଲେ । ଯାହାକୁ ମିଶାଇ କୁଲଦୀପ ଯାଦବ ଦିନିକିଆ କ୍ରିକେଟରେ ମୋଟ ୧୫୦ ୱିକେଟ୍ ଅତିକ୍ରମ କରିଛନ୍ତି । ଜଣେ ଭାରତୀୟ ବାମହାତୀ ସ୍ପିନର ଭାବେ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି କୁଲଦୀପ ।