ହାଇଦ୍ରାବାଦ:ଚଳିତ ଟି୨୦ ବିଶ୍ବକପରେ ବାଂଲାଦେଶକୁ ମାତ ଦେଇ ସେମୀର ନିକଟର ହୋଇଛି ଭାରତ । ଏହି ବର୍ଷା ବାଧିତ ମ୍ୟାଚ୍ରେ DL ନିୟମ ଅନୁଯାୟୀ ଭାରତ ୫ ରନ୍ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍ରେ ଓପନର କେ.ଏଲ ରାହୁଲ ଓ ବିରାଟ କୋହଲି ଦମ୍ଦାର ପାଳି ଖେଳିଥିଲେ । ତେବେ ଏହି ମ୍ୟାଚ୍କୁ ନେଇ କୋହଲିଙ୍କ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି ବାଂଲାଦେଶର ଉପ ଅଧିନାୟକ ନୁରୁଲ ହାସନ । ମ୍ୟାଚ୍ରେ କୋହଲି ଫେକ୍ ଥ୍ରୋ କରିଥିବା ଅଭିଯୋଗ କରିଛନ୍ତି ନୁରୁଲ ହାସନ ।
ତେବେ ଅମ୍ପାୟାର ନଜରରେ ଏହା ପଡ଼ି ନଥିଲା । ଯାହାଫଳରେ ବାଂଲାଦେଶକୁ ୫ ରନ୍ ଅତିରିକ୍ତ ମିଳି ପାରିଥାଆନ୍ତା ବୋଲି କହିଛନ୍ତି ନୁରୁଲ । ବାଂଲାଦେଶ ପାଳିର ସପ୍ତମ ଓଭରରେ କୋହଲି ଫେକ୍ ଥ୍ରୋ ଆକ୍ସନ କରିଥିଲେ । ଏହି ଓଭର ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ଅକ୍ଷର ପଟେଲଙ୍କ ବଲ୍ରେ ଡିପ୍ ଅଫ୍ ସାଇଡଆଡ଼କୁ ଖେଳିଥିଲେ ଲିଟନ ଦାସ । ବଲ ଅର୍ଶଦୀପ ସିଂହଙ୍କ ପାଖକୁ ଯାଇଥିଲା । ସେ ଥ୍ରୋ କରିବା ପରେ କୋହଲି ଫେକ୍ ଥ୍ରୋ ଆକ୍ସନ କରିଥିଲେ ।
ସୋସିଆଲ ମିଡିଆରେ କୋହଲିଙ୍କ ଏହି ଆକ୍ସନ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡର ଜଣେ ଅଧିକାରୀ କହିଛନ୍ତି, କୋହଲିଙ୍କ ଫେକ୍ ଥ୍ରୋରେ ୫ ରନ୍ ପେନାଲ୍ଟି ମିଳି ପାରିଥାଆନ୍ତା । ଏହାଦ୍ବାରା ବାଂଲାଦେଶ ମ୍ୟାଚ୍କୁ ଟାଇ କିମ୍ବା ବିଜୟ ହାସଲ କରି ପାରିଥାଆନ୍ତା ।