ନୂଆଦିଲ୍ଲୀ:ଭାରତ ଓ ଇଲଂଣ୍ଡ ମଧ୍ୟରେ ଜାରି ରହିଛି ୫ଟିକିଆ ଟେଷ୍ଟ ସିରିଜ । ଏହି ସିରିଜରେ ଐତିହାସିକ ଲର୍ଡ୍ସ ପଡ଼ିଆରେ ବିଜୟ ହାସଲ କରି ସିରିଜରେ ଆଗୁଆ ରହିଛି ଭାରତ । ହେଲେ ଲର୍ଡସ ଟେଷ୍ଟ ମ୍ୟାଚରେ ମଧ୍ୟ ଅଧିନାୟକ ବିରାଟ କୋହଲିଙ୍କ ଫ୍ଲପ ଶୋ' ଜାରି ରହିଛି । ଏହାକୁ ନେଇ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।
ଗତ ଦେଢ଼ ବର୍ଷ ଅଧିକ ସମୟ ହେଲା ରନ ମେସିନ ବୋଲାଉଥିବା କୋହଲିଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିନାହିଁ । ସେ ଟେଷ୍ଟ ହେଉ କି ଦିନିକିଆ ମ୍ୟାଚ, କୋହଲିଙ୍କୁ ଭଲ ଆରମ୍ଭ ମିଳିବା ସତ୍ତ୍ବେ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିବାରେ ବାରମ୍ବାର ଫେଲ ମାରୁଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ କ୍ରିକେଟ ପ୍ରେମୀଙ୍କ ତାଙ୍କ ଉପରୁ ଭରସା ଉଠିବାରେ ଲାଗିଛି । ଚଳିତ ଇଂଲଣ୍ଡ ବିପକ୍ଷରେ ମଧ୍ୟ ସେ ତିନୋଟି ଇନିଂସରେ ୦, ୪୨ ଓ ୨୦ ରନ କରି ପାରିଛନ୍ତି ।
୨୦୧୪ ମସିହାରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ନିରାଶାଜନକ ରହିଥିଲା । ସେହି ସମୟରେ ସେ ୪ଟି ଟେଷ୍ଟ ମ୍ୟାଚ ଖେଳି ୧୩.୪୦ ହାରରେ ମାତ୍ର ୧୩୪ ରନ କରି ପାରିଥିଲେ । ତେବେ ଏହାର ଚାରି ବର୍ଷ ପରେ ଅର୍ଥାତ ୨୦୧୮ ମସିହା ଇଂଲଣ୍ଡ ଗସ୍ତରେ ବିରାଟ କୋହଲି ୫୯.୩୦ ହାରରେ ୫୯୩ ରନ କରିଥିଲେ । ଏଥିରେ ଦୁଇଟି ଶତକ ତିନୋଟି ଅର୍ଦ୍ଧ ଶତକ ସାମିଲ ରହିଛି । ସେହି ସିରିଜରେ ସର୍ବାଧିକ ରନ କରିପାରିଥିଲେ ବିରାଟ କୋହଲି ।