ଶାରଜାହ: ଅଧିନାୟକ ଭାବରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ IPLରେ ଶେଷ ମ୍ୟାଚ ଖେଳିଛନ୍ତି । ତେବେ କୋହଲି ସବୁବେଳେ ଜଣେ ଲିଡର ହୋଇ ରହିବେ ବୋଲି କହିଛନ୍ତି ତାଙ୍କ ସାଥୀ ଖେଳାଳି ବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟ୍ରାଇକ୍ ବୋଲର ହର୍ଷଲ ପଟେଲ । ପ୍ଲେ-ଅଫ୍ର ଏଲିମିନେଟର ମ୍ୟାଚରେ ପରାଜିତ ହୋଇ ଆଇପିଏଲର ୧୪ତମ ସଂସ୍କରଣରେ ଯାତ୍ରା ଶେଷ କରିଛି RCB ।
RCB ଅଧିନାୟକ ଭାବରେ କୋହଲିଙ୍କ ଏହା ଶେଷ ଆଇପିଏଲ ଟୁର୍ଣ୍ଣାମେଣ୍ଟ ହେବ ବୋଲି ଘୋଷଣା କରି ସାରିଛନ୍ତି । ଏହାପୂର୍ବରୁ ସେ ଟି-୨୦ ଅଧିନାୟକ ପଦରୁ ମଧ୍ୟ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସତ୍ତ୍ବେ ସେ ସବୁବେଳେ ଜଣେ ଲିଡର ହୋଇ ରହିବେ ବୋଲି କହିଛନ୍ତି ହର୍ଷଲ ପଟେଲ ।
KKR ସହ ମ୍ୟାଚ ପରେ ହର୍ଷଲ ପଟେଲ କହିଛନ୍ତି ଯେ, "ଅଧିନାୟକ କଥା କହିଲେ ଆଇପିଏଲ୍ରେ କ୍ୟାପଟେନ୍ ଅଛନ୍ତି ଓ ଲିଡର ଅଛନ୍ତି । ତେବେ କୋହଲି ସବୁବେଳେ ଜଣେ ଲିଡର । ତାଙ୍କ ପାଖରେ ଅଧିନାୟକ ଟ୍ୟାଗ୍ ନଥିଲେ ବି ସେ କୌଣସ ଲିଡରଠାରୁ କମ୍ ନୁହଁନ୍ତି । ଦଳ ପ୍ରତି ତାଙ୍କର ଯାହା ସବୁ ଅବାଦନ ପାଇଁ ତାଙ୍କୁ ମୁଁ ଧନ୍ୟବାଦ ଦେଉଛି । ସେହି ଅବଦାନକୁ ହିଁ ଦଳ ସବୁବେଳେ ସେଲିବ୍ରେଟ୍ କରିବ । ଟ୍ରଫି ଜିତିଥିଲେ ଆମେ ନିଶ୍ଚିତ ଭାବରେ ଅଧିକ ଖୁସି ହୋଇଥାନ୍ତୁ । କିନ୍ତୁ ଖେଳରେ କିଛି ନିଶ୍ଚିତ ନଥାଏ ।"