ହାଇଦ୍ରାବାଦ: ଅଫ୍ ସ୍ପିନର ହରଭଜନ ସିଂହ କ୍ରିକେଟର ସମସ୍ତ ଫର୍ମାଟରୁ ଶୁକ୍ରବାର ସନ୍ୟାସ ନେଇଛନ୍ତି । ଟ୍ବିଟ୍ ଯୋଗେଁ ନିଜର ସନ୍ୟାସ ନେଇ ଘୋଷଣା କରିଛନ୍ତି ଭଜି । ଏଥିସହିତ ୨୩ ବର୍ଷର କ୍ରିକେଟ କ୍ୟାରିୟର ଶେଷ ହୋଇଛି । ପଞ୍ଜାବ କ୍ରିକେଟର ହରଭଜନ ସିଂହ ନିଜର ସଫଳତମ କ୍ରିକେଟ କ୍ୟାରିୟରରେ ୧୦୩ଟି ଟେଷ୍ଟରୁ ୪୧୭ ୱିକେଟ ନିଜ ନାମରେ କରିଛନ୍ତି । ସେହିପରି ୨୩୬ ଅନ୍ତର୍ଜତୀୟ ଦିନିକିଆ ମ୍ୟାଚ୍ରୁ ୨୬୯ ୱିକେଟ ଓ ୨୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରୁ ୨୫ ୱିକେଟ ଅକ୍ତିଆର କରିଛନ୍ତି ।
୪୧ ବର୍ଷୀୟ ହରଭଜନ ଟ୍ବିଟ୍ରେ ଲେଖିଛନ୍ତି, "ଖେଳକୁ ଅଲବିଦା କରୁଛି, ଜୀବନରେ କ୍ରିକେଟ ମୋତେ ସବୁକିଛି ଦେଇଛି । ସବୁ ଭଲ ଜିନିଷ ମଧ୍ୟ ଦିନେ ଶେଷ ହୋଇଯାଏ । ୨୩ ବର୍ଷର ଲମ୍ବା କ୍ୟାରିୟରରେ ଯେଉଁମାନେ ସାଥ୍ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଉଛି ।"
କୋଚ୍ ହୋଇପାରନ୍ତି ଭଜି
ମିଡି ରିପୋର୍ଟ ମୁତାବିକ, ହରଭଜନ କୌଣସି ଆଇପିଏଲ ଟିମର କୋଚିଂ ଷ୍ଟାଫ୍ରେ ସାମିଲ ହୋଇପାରନ୍ତି । ଭଜି ୪୧ ବର୍ଷରେ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ଲମ୍ବା ସମୟ ଧରି ସେ ଭାରତ ପାଇଁ କୌଣସି ମ୍ୟାଚ୍ ଖେଳିନାହାନ୍ତି । ସେ ଭାରତ ପାଇଁ ଶେଷ ମ୍ୟାଚ୍ ବର୍ଷ ୨୦୧୬ରେ ଖେଳିଥିଲେ । ଲମ୍ବା ସମୟ ଧରି ତାଙ୍କର ସନ୍ୟାସ ଘୋଷଣା ନେଇ ଚର୍ଚ୍ଚା ହୋଇଆସୁଥିଲା । ତେବେ ଶୁକ୍ରବାର ସେ ଆନୁଷ୍ଠାନିକ ଭାବେ ସନ୍ୟାସ ଘୋଷଣା କରିଛନ୍ତି । ଫଳରେ ଏହାର ସଂପୂର୍ଣ୍ଣ ସମ୍ଭାବନା ରହିଛି ଯେ, କୌଣସି ଟିମର କୋଚିଂ ଷ୍ଟାଫ୍ରେ ସ୍ଥାନ ମିଳିପାରେ ।
ଏହି ବର୍ଷ ଖେଳିଥିଲେ ଶେଷ ମ୍ୟାଚ୍
ବର୍ଷ ୨୦୧୬ରେ ହରଭଜନ UAE ବିପକ୍ଷରେ ଏସିଆ କପ୍ରେ ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ । ଆଇପିଏଲରେ ହରଭଜନଙ୍କ ନାମରେ ୧୬୩ ମ୍ୟାଚ୍ରେ ୧୫୦ ୱିକେଟ ରହିଛି । ଭଜି ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିସାରିଛନ୍ତି ।