ଇନ୍ଦୋର: ଭାରତୀୟ ଟେଷ୍ଟ ଟିମର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବାପରେ ପରବର୍ତ୍ତୀ ଅଧିନାୟକ କିଏ ହେବେ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ଅନେକ ପୂର୍ବତନ ଭାରତୀୟ କ୍ରିକେଟର, BCCI ପ୍ରଶାସକ ନୂଆ ଟେଷ୍ଟ ଅଧିନାୟକ ସଂପର୍କରେ ନିଜର ମତ ରଖିଛନ୍ତି । ଏହିକ୍ରମରେ ପୂର୍ବତନ BCCI ସମ୍ପାଦକ ସଞ୍ଜୟ ଜଗଦଲେ କହିଛନ୍ତି, ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଦାୟିତ୍ବ କେଏଲ ରାହୁଲଙ୍କୁ ମିଳିବା ଉଚିତ୍ । କାରଣ ୨୯ ବର୍ଷୀୟ ରାହୁଲ ଦୀର୍ଘକାଳୀନ ନେତୃତ୍ବ ଦେଇପାରିବେ । ଜଗଦଲେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ(MPCA)ର ଜଣେ ସଦସ୍ୟ ମଧ୍ୟ ରହିଛନ୍ତି ।
ଏହାମଧ୍ୟ ପଢନ୍ତୁ: ଋଷଭ ପନ୍ତଙ୍କୁ ଭାରତର ଟେଷ୍ଟ କ୍ୟାପଟେନ ଚାହାନ୍ତି ଗାଭାସ୍କର
ଦକ୍ଷିଣ ଆଫ୍ରିକା ଠାରୁ ସିରିଜ ପରାଜୟର ଦିନକ ପରେ ଶନିବାର ଟେଷ୍ଟ ଅଧିନାୟକ ପଦରୁ ଅଚାନକ କୋହଲି ଇସ୍ତଫା ଦେବାପରେ ଦେଶରେ ଏହି ବିଷୟ ଚର୍ଚ୍ଚାୟ ବିଷୟ ପାଲଟିଛି । ଦିଲ୍ଲୀ ଖେଳାଳି କୋହଲି, ୬୮ଟି ଟେଷ୍ଟରୁ ୪୦ଟିରେ ବିଜୟ ସହ ଭାରତର ସଫଳତମ ଅଧିନାୟକ ଭାବେ ନିଜର କାର୍ଯ୍ୟକାଳ ଶେଷ ନେଇ ଘୋଷଣା କରିଥିଲେ । ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଅଧାରେ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ପଦ ଛାଡିବା ପରେ କୋହଲି ଦାୟିତ୍ବ ସମ୍ଭାଳିଥିଲେ ।