ଦୁବାଇ: ଟି-୨୦ ବିଶ୍ବକପର ଫାଇନାଲ ଫାଇଟ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମକୁ ବଡ ଝଟ୍କା । ଟିମର ପ୍ରମୁଖ ବ୍ୟାଟର ଡେଭନ କନୱେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ ଫାଇନାଲ ଓ ପରେ ଭାରତ ଗସ୍ତରୁ ବାଦ୍ ପଡିଛନ୍ତି । କନୱେଙ୍କ ଡାହାଣ ହାତ ଭାଙ୍ଗିଯାଇଥିବା ଜଣାପଡିଛି ।
ନ୍ୟୁଜିଲାଣ୍ଡ ବ୍ୟାଟର ଡେଭନ କନୱେ ଆବୁଧାବିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ରେ ଆଉଟ୍ ହେବାପରେ ନିଜ ବ୍ୟାଟ୍କୁ ନିଜ ହାତରେ ଆଘାତ କରିଥିଲେ କନୱେ । ପରେ ଗୁରୁବାର X-ray ରିପୋର୍ଟରେ ହାତ ଭାଙ୍ଗିଯାଇଥିବା ଜଣାପଡିଛି ।
କୋଚ ଗ୍ୟାରୀ ଷ୍ଟିଡ୍ କହିଛନ୍ତି, "ବିଶ୍ବକପ ଫାଇନାଲ ମ୍ୟାଚ୍ରୁ ବାଦ୍ ପଡିବା ଖବରରେ କନୱେ ଅତ୍ୟନ୍ତ ମର୍ମାହତ ଅଛନ୍ତି ।"
କନୱେଙ୍କ ସୁସ୍ଥ ହେବାକୁ ସମୟ ଲାଗିବ । ଫଳରେ ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲା ଓ ପରେ ଭାରତ ବିପକ୍ଷ ଟି-୨୦ ସିରିଜରେ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କିୱି କୋଚ୍ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଟି-୨୦ ବିଶ୍ବକପ ଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ