ଦୁବାଇ:ଦକ୍ଷିଣ ଆଫ୍ରିକାର ସନ୍ ପଲକ, ଶ୍ରୀଲଙ୍କା'ର ମାହେଲା ଜୟବର୍ଦ୍ଧନେ ଓ ଇଂଲଣ୍ଡର ଜେନିଟି ବ୍ରିଟିନଙ୍କୁ ଶନିବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦର( ICC) ହଲ୍ ଅଫ୍ ଫେମ୍ରେ ସାମିଲ କରାଯାଇଛି ।
ଜୟବର୍ଦ୍ଧନେ ୬୫୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି- ସେଥିମଧ୍ୟରେ ୧୪୯ଟି ଟେଷ୍ଟ, ୪୪୮ଟି ଦିନିକିଆ ଓ ୫୫ଟି ଟି-୨୦ ମ୍ୟାଚ୍ ରହିଛି । ନିଜ ଦେଶର ଜାତୀୟ ଟିମର ନେତୃତ୍ବ ନେବା ସହ ଟିମର ସ୍ଥିର ପ୍ରଦର୍ଶନକାରୀ ଥିଲେ ଜୟବର୍ଦ୍ଧନେ । ସେ ଖେଳିଥିବା ୧୪୯ଟି ଟେଷ୍ଟ କୌଣସି ଶୀଲଙ୍କା ଖେଳାଳିଙ୍କ ଠାରୁ ଅଧିକ । ସେହିପରି ଦିନିକିଆ ମ୍ୟାଚ୍ ସଂଖ୍ୟାରେ ସେ କେବଳ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର(୪୬୩)ଙ୍କ ପଛରେ ରହିଛନ୍ତି ।
୪୯.୮୪ ଆଭରେଜରେ ୧୧,୮୧୪ ରନ୍ ସହ ଟେଷ୍ଟ କ୍ରିକେଟରେ ୯ମ ସର୍ବାଧିକ ରନସଂଗ୍ରହକାରୀ ଓ ଏହି ଫର୍ମାଟରେ ଷଷ୍ଠ ସର୍ବାଧିକ ଶତକ ହାସଲକାରୀ ରହିଛନ୍ତି ଜୟବର୍ଦ୍ଧନେ । ୩୪ଟି ଟେଷ୍ଟ ଶତକ ମଧ୍ୟରେ ୩୭୪ ରନ୍ର ମାରାଥନ ଇଂନିସ ତାଙ୍କର ଶ୍ରେଷ୍ଠ । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଚତୁର୍ଥ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ । ବର୍ଷ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୁମାର ସାଙ୍ଗାକାରାଙ୍କ ସହ ମିଶି ରେକର୍ଡ ୬୨୪ ରନ୍ର ଭାଗିଦାରୀ କରିଥିଲେ ମାହେଲା ।
ଦୁଇଥର ବିଶ୍ବକପ ରନର୍ସଅପ ଜୟବର୍ଦ୍ଧନେ ୨୦୧୧ ବିଶ୍ବକପ ଫାଇନାଲରେ ଭାରତ ବିପକ୍ଷରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୧୦୩ ରନ୍ର ମାରାଥନ ଇଂନିସ ଖେଳିଥିଲେ ।