ମୁମ୍ବାଇ: ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ଦୀର୍ଘ ୮ ମାସ ହେବ ଟିମ୍ ଇଣ୍ଡିଆରୁ ବାହାରେ ରହିଛନ୍ତି । ବୁମରାଙ୍କ ଅନୁପସ୍ଥିତି ଟିମ ଇଣ୍ଡିଆରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏହାରି ମଧ୍ୟରେ ଭାରତ ଖେଳିଥିବା ଅନେକ ମ୍ୟାଚ୍ରେ ଯଦିଓ ମହମ୍ମଦ ସାମି ଓ ସିରାଜ ଦୃଢ଼ ଭାବରେ ଭାରତୀୟ ବୋଲିଂ ବିଭାଗକୁ ସମ୍ଭାଳିଛନ୍ତି, ହେଲେ ବୁମ୍ରା ଥିଲେ ଫଳାଫଳ କିଛି ଅଲଗା ହୋଇଥାଆନ୍ତା ବୋଲି ଅନେକ ମତ ରଖିଛନ୍ତି । ଏହାରି ଭିତରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଜଣେ ବିସିସିଆଇ ଅଧିକାରୀଙ୍କ ସୂଚନା ଅନୁସାରେ ଆସନ୍ତା ଅଗଷ୍ଟ ମାସରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳକୁ ଫେରିପାରନ୍ତି ଏହି ଭାରତୀୟ ସ୍ପିଡ୍ଷ୍ଟାର ।
ବୁମରାଙ୍କ ପ୍ରତ୍ୟାବର୍ତ୍ତନ ସୂଚନା ଦେବାକୁ ଯାଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, "ବୁମ୍ରା ଏନସିଏ (ଜାତୀୟ କ୍ରିକେଟ ଏକାଡେମୀ)ରେ ଖୁବ୍ଶୀଘ୍ର ଫିଟ୍ ହେଉଛନ୍ତି । ଆସନ୍ତା ଅଗଷ୍ଟ ମାସରେ ଆୟର୍ଲାଣ୍ଡ ବିପକ୍ଷରେ ଆୟୋଜିତ ହେବାକୁ ଥିବା ଟି୨୦ ଶୃଙ୍ଖଳାରେ ସେ ଭାରତୀୟ ଦଳକୁ ଫେରିପାରନ୍ତି ।"ଯଦି ତାଙ୍କର ଏଭଳି ରିକଭେରି ଜାରି ରୁହେ, ତେବେ ଆସନ୍ତା ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ପୁଣିଥରେ ବୁମ୍ରାଙ୍କୁ ବୋଲିଂ କରୁଥିବାର ପ୍ରଶଂସକମାନେ ଦେଖିବାକୁ ପାଇବେ ବୋଲି ସେ ସୂଚନା ଦେଇଛନ୍ତି ।