କଲମ୍ବୋ:ଶ୍ରୀଲଙ୍କା ଅଲରାଉଣ୍ଡର ଇସୁରୁ ଉଦାନା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ଶନିବାର, ତରବରିଆ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି ଉଦାନା । ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅଚାନକ ଅବସର ଘୋଷଣାର କାରଣ ସ୍ପଷ୍ଟ ହୋଇନାହିଁ ।
33ବର୍ଷୀୟ ଉଦାନା ନିକଟରେ ଭାରତ ବିପକ୍ଷ ସୀମିତ ଓଭର ସିରିଜରେ ନଜର ଆସିଥିଲେ । ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଓ ଟି୨୦ ସିରଜର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ୱିକେଟଶୂନ୍ୟ ରହିଥିଲେ ।
"ଦେଶକୁ ପ୍ରତିନିଧିତ୍ବ କରିପାରିଥିବାରୁ ଗର୍ବିତ । ପରବର୍ତ୍ତୀ ପିଢି଼ ପାଇଁ ପଥ ପରିଷ୍କାର କରିବାକୁ ଏହା ପ୍ରକୃଷ୍ଟ ସମୟ ବୋଲି ଅନୁଭବ କରୁଛି । ସେଥିପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି ।" ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହା ଉଲ୍ଲେଖ କରିଛନ୍ତି ଉଦାନା ।