ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ୨୦୨୪ ଅଭିଯାନ ଜୋରସୋରରେ ଆଗେଇ ଚାଲିଛି । ହେଲେ ଜାରି ରହିଥିବା ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ଯୁବ ୱିକେଟ୍ କିପର ଈଶାନ କିଷାନ ବାଦ ପଡ଼ିବା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଈଶାନ ଓ ଶ୍ରେୟସ ବିନା କୌଣସି କାରଣରେ ଘରୋଇ ରଣଜୀ ସିଜିନ୍ ଖେଳୁନଥିବାରୁ ତାଙ୍କୁ ବାଦ ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା । ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଘୋଷଣା ହୋଇଥିବା ଦଳରେ ମଧ୍ୟ ଈଶାନଙ୍କୁ ବାଦ ଦିଆଯାଇଛି । ତେବେ ଈଶାନ ବିଶ୍ରାମ ଚାହୁଁଛନ୍ତି, ନା ଏହା ତାଙ୍କ ଉପରେ ବୋର୍ଡର କାର୍ଯ୍ୟାନୁଷ୍ଠାନ, ତାହାକୁ ନେଇ ଉଠିଛି ପ୍ରଶ୍ନ ।
ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜାତୀୟ ଦଳରେ କୌଣସି ଦାୟିତ୍ବ ନଥିଲେ ବିନା କୌଣସି କାରଣରେ ଖେଳାଳିମାନେ ରଣଜୀ ଖେଳରୁ ଦୂରରେ ରହିଲେ ସେମାନଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ବିଚାରକୁ ନିଆଯିବନାହିଁ । ଏହି ଆଧାରରେ ଈଶାନ ଗତ ୧୨ ତାରିଖରେ ଝାଡ଼ଖଣ୍ଡ ବିପକ୍ଷରେ ରଣଜୀ ଖେଳିବାର ଥିଲା । ହେଲେ ସେ ରଣଜୀ ଖେଳୁଥିବା ଦେଖିବାକୁ ମିଳିନଥିଲା । ସେପଟେ ଈଶାନଙ୍କ ଅନୁପସ୍ଥିତି ନେଇ ଝାଡ଼ଖଣ୍ଡ କ୍ରିକେଟ୍ ଆସୋସିଏସନ୍ ପାଖରେ ମଧ୍ୟ କୌଣସି ସଠିକ ଖବର ନାହିଁ । ଏହାରି ମଧ୍ୟରେ ଈଶାନ ଯୋଗ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । କୌଣସି କାମ ନଥାଇ ରଣଜୀରେ ଅନୁପସ୍ଥିତ ରହିବାରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସ୍କ୍ବାଡ୍ରେ ତାଙ୍କୁ ସାମିଲ କରାଯାଇନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।