ମୁମ୍ବାଇ: ରାତି ପାହିଲେ ମହିଳା ଆଇପିଏଲ । ମୁମ୍ବାଇ, ଗୁଜୁରାଟ, ବାଙ୍ଗାଲୋର, ୟୁପି ୱାରିୟର୍ସ ପରେ ଦିଲ୍ଲୀ କ୍ୟାପିଟାଲ୍ସ ତାର ଅଧିନାୟିକା ନିଯୁକ୍ତ କରିଛି । ଅଷ୍ଟ୍ରେଲିଆ ଅଧିନାୟିକା ମେଗ ଲାନିଙ୍ଗକୁ ଅଧିନାୟିକା ଭାବେ ଘୋଷଣା କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଲାନିଙ୍ଗ ଉପରେ ଦିଲ୍ଲୀ କ୍ୟାପିଟାଲ୍ସ ଭରସା କରିଛି । ଭାରତୀୟ ଖେଳାଳି ଜେମିମା ରୋଡ୍ରଗ୍ସିଙ୍କୁ ଉପଅଧିନାୟିକା ନିଯୁକ୍ତ କରିଛି ଦିଲ୍ଲୀ । 5 ତାରିଖରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।
30 ବର୍ଷୀୟ ଲାନିଙ୍ଗଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଚଳିତ ବର୍ଷ ଟି-ଟ୍ବେଣ୍ଟି ବିଶ୍ବକପ ବିଜେତା ହୋଇଛି । ତାଙ୍କ ନେତୃତ୍ବରେ ଦଳ ରେକର୍ଡ 4 ଥର ଟି -ଟ୍ବେଣ୍ଟି ବିଶ୍ବକପ ଜିତିଛି । ତେଣୁ ତାଙ୍କ ନେତୃତ୍ବରେ ଦିଲ୍ଲୀ ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ମେଗ ଲାନିଙ୍ଗ ବୁଧବାର ମୁମ୍ବାଇରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି ।
ମେଗ ଲାନିଙ୍ଗ ତାଙ୍କ କ୍ୟାରିଅରରେ 132ଟି ଟି-20 ଖେଳି 3405 ରନ କରିଛନ୍ତି । ଯେଉଁଥିରେ 2ଟି ଶତକ ମଧ୍ୟ ରହିଛି । ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ 100ଟି ମ୍ୟାଚରେ ସେ ନେତୃତ୍ବ ନେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କ୍ୟାପଟେନ ନିଯୁକ୍ତ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଦିଲ୍ଲୀ ତାଙ୍କ ଉପରେ ଭରସା କରିଥିବାରୁ ସେ ଗର୍ବିତ ଥିବା କହିଛନ୍ତି । ତୃତୀୟ ଅଷ୍ଟ୍ରେଲିଆ ଖେଳାଳି ଭାବେ ମହିଳା ଆଇପିଏଲରେ ଦଳର ନେତୃତ୍ବ ନେଇଛନ୍ତି ମେଗ ଲାନିଙ୍ଗ ।