ମୁମ୍ବାଇ: ସପ୍ତମ ଦିନରେ ପହଞ୍ଚିଛି ମହିଳା ପ୍ରିମିୟର ଲିଗ । ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ଜ ମଧ୍ୟରେ ମୁକାବିଲା ହେବ । ବିଜୟୀ ହେବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇବେ ଦୁଇ ଟିମ । ବାଙ୍ଗାଲୋର ପୂର୍ବ ମ୍ୟାଚରେ ପରାଜିତ ହୋଇ ଥିବାବେଳେ ଆଜିର ମ୍ୟାଚକୁ ନିଜ ସପକ୍ଷରେ ନେବା ପାଇଁ ଜୋରଦାର ପ୍ରୟାସ କରିବ । ସେହିପରି ୟୁପି ଓ୍ବାରିୟର୍ଜ ମଧ୍ୟ ପୂର୍ବ ମ୍ୟାଚରେ ପରାଜିତ ହୋଇଥିବାରୁ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଚେଷ୍ଟା କରିବ ।
ଚଳିତ ସିଜିନରେ ବାଙ୍ଗାଲୋର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏପର୍ଯ୍ୟନ୍ତ ମୋଟ ତିନୋଟି ମ୍ୟାଚ ଖେଳି ଦଳ ଗୋଟିଏରେ ବି ବିଜୟୀ ହୋଇପାରିନାହିଁ । ଫଳରେ କୌଣସି ପଏଣ୍ଟ ନପାଇ ପଏଣ୍ଟ ଟେବୁଲର ଶେଷରେ ରହିଛି । ଲଗାତାର ହ୍ୟାଟ୍ରିକ ପରାଜୟ ବରଣ କରି ପ୍ରଶଂସକଙ୍କୁ ନିରାଶ କରିଛନ୍ତି ବାଙ୍ଗାଲୋର ଦଳର ଖେଳାଳି । ପୂର୍ବ ମ୍ୟାଚରେ ଗୁଜରାଟ ସହ ମୁହାଁମୁହିଁ ହୋଇଥିଲା ବାଙ୍ଗାଲୋର । କିନ୍ତୁ ଏଥିରେ 11ରନରେ ଆରସିବିକୁ ପରାସ୍ତ କରି ମହିଳା ଆଇପିଏଲରେ ବିଜୟ ଖାତା ଖୋଲିଥିଲା ଗୁଜରାଟ । ଫଳରେ ଲଗାତାର ତୃତୀୟ ପରାଜୟ ବରଣ କରିଥିଲା ବାଙ୍ଗାଲୋର । ପୂର୍ବରୁ ମୁମ୍ବାଇ ଓ ଦିଲ୍ଲୀଠୁ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି । ତେଣୁ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ହେଲେ ଆଜିର ମ୍ୟାଚରେ ଦଳକୁ ବିଜୟୀ ହେବାକୁ ପଡିବ ।