ହାଇଦ୍ରାବାଦ: ଚଳିତ ଆଇପିଏଲ ସଂସ୍କରଣରେ ଅନେକ ଯୁବ ପ୍ରତିଭା ଆକର୍ଷଣୀୟ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଛନ୍ତି । ସେ ଚେନ୍ନାଇ ସୁପର କିଙ୍ଗସ୍ର ଋତୁରାଜ ଗାଏକୱାଡ ହୁଅନ୍ତୁ, ବା କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂହ । ମୁମ୍ବାଇ ଇଣ୍ଡିଆନ୍ସର ତିଲକ ବର୍ମା ହୁଅନ୍ତୁ, ବା ରାଜସ୍ଥାନ ରୟାଲ୍ସର ଯଶସ୍ବୀ ଜୟସ୍ବାଲ । ନୂଆକରି ଟିମ୍ ଇଣ୍ଡିଆରେ ନିଜର ଦବଦବା ଜାହିର କରୁଥିବା ଶୁଭମନ ଗିଲ୍ ମଧ୍ୟ ଚଳିତ ସଂସ୍କରଣରେ ବେଶ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ସେ ଆଇପିଏଲ ୨୦୨୩ର ସବୁଠାରୁ ଅଧିକା ରନ୍ ସ୍କୋର କରିଥିବା ବ୍ୟାଟର । ତେବେ ଏଭଳି ପ୍ରଦର୍ଶନ ସେ ଆଗକୁ ଭାରତୀୟ ଦଳରେ ମଧ୍ୟ ଜାରି ରଖନ୍ତୁ ବୋଲି ଆଶା କରିଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ।
ଚଳିତ ଆଇପିଏଲ ୨୦୨୩ରେ ପ୍ରଥମେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ଲେ ଅଫ ରେସ୍ରୁ ବାଦ ଦେବା ଓ ପରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ଟ୍ରଫି ଦୌଡ଼ରୁ ହଟାଇବାରେ ଶୁଭମନ ଗିଲ୍ଙ୍କ ବଡ଼ ଭୂମିକା ରହିଥିଲା । ଉଭୟ ମ୍ୟାଚ୍ରେ ଧୂଆଁଧାର ଶତକ ହାସଲ କରି ସେ ଯଦିଓ କୋହଲି ଓ ରୋହିତଙ୍କ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଥିଲେ, ହେଲେ ସେ ନିଜ ଆକର୍ଷଣୀୟ ପ୍ରଦର୍ଶନ ସହ ଭାରତୀୟ ଦଳର ଏହି ଦୁଇ ଶ୍ରେଷ୍ଠ ଖେଳାଳୀଙ୍କ ହୃଦୟ ମଧ୍ୟ ଜିତିଥିଲେ । ଦ୍ବିତୀୟ କ୍ବାଲିଫାୟରରେ ଗିଲଙ୍କ ଶତକ (୧୨୯) ସହ ମୋହିତ ଶର୍ମାଙ୍କ ୫ ୱିକେଟ୍ ସଫଳତା ମୁମ୍ବାଇ ଖେଳାଳୀଙ୍କୁ ଆଗକୁ ବଢ଼ିବାକୁ ଦେଇନଥିଲା । ତେବେ ଗିଲ୍ଙ୍କ ଏହି ପ୍ରଦର୍ଶନ ଭାରତୀୟ ଦଳର ମ୍ୟାଚ୍ ସମୟରେ ମଧ୍ୟ ଜାରି ରହୁ ବୋଲି ମୁମ୍ବାଇ ତଥା ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଶାବ୍ୟକ୍ତ କରିଛନ୍ତି । ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷରେ ଜୁନ ୭ରୁ ଆରମ୍ଭ ହେବାକୁ ଥିବା ବିଶ୍ବ ଟେଷ୍ଟ୍ ଚମ୍ପିଆନ୍ସିପ୍ରେ ଗିଲ୍ ତାଙ୍କ ଆଇପିଏଲ୍ ଫର୍ମ ବଜାୟ ରଖନ୍ତୁ ବୋଲି ଆଶା କରିଛନ୍ତି ରୋହିତ ।