ଦିଲ୍ଲୀ: ଆଇପିଏଲ ୨୦୨୩ର ଆଜି ସପ୍ତମ ମ୍ୟାଚ୍ ଖେଳାଯାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍କୁ 6 ୱିକେଟରେ ଜିତି ନେଇଛି ପାଣ୍ଡ୍ୟା ବାହିନୀ । ଘରୋଇ ଗ୍ରାଉଣ୍ଡରେ ମଧ୍ୟ ବିଜୟର ଖାତା ଖୋଲି ପାରିନି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି କେବଳ ୧୬୨ ରନରେ ସୀମିତ ରହିଯାଇଥିଲେ ୱାର୍ନର ଏଣ୍ଡ କୋ । ତେବେ ୧୬୩ ରନର ବିଜୟ ଲକ୍ଷ୍ୟକୁ କେବଳ 4 ୱିକେଟ ହରାଇ ହାସଲ କରିନେଇଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ।
ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା । ଯାହା ଦଳକୁ ଜିତିବା ପାଇଁ ପର୍ଯ୍ୟାପ୍ତ ନଥିଲା । ଅଧିନାୟକ ଡେଭିଡ ୱାର୍ନର ଦଳ ପାଇଁ ସର୍ବାଧିକ ୩୨ ବଲରୁ ୩୭ ରନ ସଂଗ୍ରହ କରିଥିଲେ । ଏଥିରେ ୭ଟି ଚୌକା ସାମିଲ ରହିଛି । ତେବେ ଅନ୍ୟମାନଙ୍କ ମଧ୍ୟରେ ସର୍ଫରାଜ ଖାନ ୩୪ ବଲରୁ ୩୦, ଅକ୍ଷର ପଟେଲ ୨୨ ବଲରୁ ୩୬ ଓ ୱିକେଟ ରକ୍ଷକ ବ୍ୟାଟର ଅଭିଷେକ ପୋରେଲ ୧୧ ବଲରୁ ୨୦ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିଲେ ।
ସେପଟେ ଗୁଜରାଟ ପକ୍ଷରୁ ଅନୁଭବୀ ପେସର୍ ମହମ୍ମଦ ସାମି ୪ ଓଭର ବୋଲିଂ କରି ସର୍ବାଧିକ ୪୧ ରନ ଖର୍ଚ୍ଚ କରିଥିଲେ । ତେବେ ସେ ୩ଟି ୱିକେଟ ସଂଗ୍ରହ କରିଥିଲେ । ରସିଦ ଖାନ ମଧ୍ୟ ୩ଟି ୱିକେଟ ନେଇଥିଲେ । ତେବେ ସେ ୪ ଓଭର ବୋଲିଂ କରି ୩୧ ରନ ଖର୍ଚ୍ଚ କରିଥିଲେ । ସେହିଭଳି ଅଲଜାରୀ ଜୋଶେଫ 4 ଓଭର ବୋଲିଂ କରି 29 ରନ ବ୍ୟୟରେ 2ଟି ୱିକେଟ ହାସଲ କରିଥିଲେ । ତେବେ ଦଳ ପକ୍ଷରୁ ଅନ୍ୟ କୌଣସି ବୋଲର ୱିକେଟ ଅକ୍ତିଆର କରିପାରି ନଥିଲେ ।