ବେଙ୍ଗାଲୁରୁ:ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ନୂଆ ମୁଖ୍ୟ କୋଚ୍ ହେଲେ ପୂର୍ବତନ ଭାରତୀୟ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର । ଆଇପିଏଲର ୨୦୨୨ ସଂସ୍କରଣ ପାଇଁ ବାଙ୍ଗରଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି କରିଛି RCB ଫ୍ରାଞ୍ଚାଇଜ ।
ପୂର୍ବରୁ ମୁଖ୍ୟ କୋଚ୍ ଦାୟିତ୍ବରେ ଥିବା ନ୍ୟୁଜିଲାଣ୍ଡର ମାଇକ ହେସନଙ୍କ ସ୍ଥାନ ନେବେ ବାଙ୍ଗର । ତେବେ ହେସନ ଟିମ ସହିତ ରହିବା ସହ କ୍ରିକେଟ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ । UAEରେ ଖେଳାଯାଇଥିବା IPL 2021 ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟରେ ମାଇକ ହେସନଙ୍କୁ ଅତିରିକ୍ତ ମୁଖ୍ୟ କୋଚ୍ ଦାୟିତ୍ବ ନ୍ୟସ୍ତ କରିଥିଲା ଫ୍ରାଞ୍ଚାଇଜ ।
ନୂଆ ଦାୟିତ୍ବ ନେଇ ବାଙ୍ଗର କହିଛନ୍ତି, " RCB ଭଳି ମହାନ ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍ ଭାବେ ସେବା ପାଇଁ ସୁଯୋଗ ମିଳିଥିବାରୁ ସମ୍ମାନର କଥା । ଆଗକୁ IPL ମେଗା ନିଲାମ ଥିବାରୁ ଅନେକ ଆହ୍ବାନ ରହିଛି । ସ୍କ୍ବାଡ୍ରେ ଥିବା ପ୍ରତିଭାବାନ ସଦସ୍ୟ, ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫ୍ଙ୍କ ସହଯୋଗରେ ଭଲ ପ୍ରଦର୍ଶନ ସହିତ ସମସ୍ତ ଫ୍ୟାନ୍ସଙ୍କୁ ଖୁସିହେବାର ମୌକା ଦେବା ଲକ୍ଷ୍ୟ ରହିବ ।"