ହାଇଦ୍ରାବାଦ: ଆଇପିଏଲ ୨୦୨୩ର ମହାସମରରେ ଜାରି ରହିଛି ରୋମାଞ୍ଚକର ମୁକାବିଲା । ତେବେ ପ୍ରତିଦିନ ବିଭିନ୍ନ ଖେଳାଳି ମାନେ ନିଜ ନାମରେ ନୂଆ ନୂଆ ରେକର୍ଡ କରିବାରେ ଲାଗିଛନ୍ତି । ରବିବାର ଗୁଜରାଟ ବିପକ୍ଷ ମ୍ୟାଚ୍ରେ ନାଟକୀୟ ଢଙ୍ଗରେ ବିଜୟ ହାସଲ କରିଥିଲା କୋଲକାତା । ଦଳର ମଧ୍ୟକ୍ରମ ବ୍ୟାଟର ରିଙ୍କୁ ସିଂହଙ୍କ ଅବିଶ୍ବସନୀୟ ପାଳି ବଳରେ ଦଳ ୩ ୱିକେଟରେ ବିଜୟ ହାସଲ କରିଥିଲା । ଶେଷ ୫ ବଲରେ ୫ ଛକା ମାରି କୋଲକାତାକୁ ଐତିହାସିକ ବିଜୟ ଭେଟି ଦେଇଥିଲେ ଏହି ବାମହାତୀ ବ୍ୟାଟର । ତେବେ ଶେଷ ୫ଟି ବଲରେ ୩୦ ରନ କରି ରିଙ୍କୁ ସିଂହ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡକୁ ପଛରେ ପକାଇଛନ୍ତି ।
ଶେଷ ଓଭରରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ରିଙ୍କୁ ସିଂହ: କୋଲକାତା ୨୦୫ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିଲା । ତେବେ ଶେଷ ଓଭରରେ ଦଳକୁ ବିଜୟ ପାଇଁ ୨୯ ରନର ଆବଶ୍ୟକ ହେଉଥିଲା । ଏତିକିବେଳେ ଏହି ବିଜୟ ଅସମ୍ଭବ ଲାଗୁଥିଲା । ପ୍ରଥମ ବଲରେ ଉମେଶ ଯାଦବ ସିଙ୍ଗିଲ ରନ କରି ରିଙ୍କୁଙ୍କୁ ଷ୍ଟ୍ରାଇକ ଦେଇଥିଲେ । ଏହାପରେ ଶେଷ ୫ଟି ବଲରେ ୨୮ ରନ ଆବଶ୍ୟକ ଥିବାବେଳେ ରିଙ୍କୁ ଅବିଶ୍ବସନୀୟ ଭାବେ ଲଗାତାର ୫ଟି ଛକା ମାରିଥିଲେ । ତେବେ ବିଜୟ ଲକ୍ଷ୍ୟ ନେଇ ଶେଷ ଓଭରରେ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି ରିଙ୍କୁ । ଏହା ପୂର୍ବରୁ ଏହି ରେକର୍ଡ ଏମଏସ ଧୋନିଙ୍କ ନାଁରେ ରହିଥିଲା । ଆଇପିଏଲ ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା ବେଳେ ଧୋନି ଶେଷ ଓଭରରେ ୨୪ ରନ ସଂଗ୍ରହ କରିଥିଲେ । ତେବେ ରବିବାର ଗୁଜରାଟ ବିପକ୍ଷରେ ଶେଷ ଓଭରରେ ବ୍ୟକ୍ତିଗତ ୩୦ ରନ ସଂଗ୍ରହ କରି ନିଜ ଦଳକୁ ବିଜୟ ମଧ୍ୟ କରିଛନ୍ତି ରିଙ୍କୁ ।