ମୁମ୍ବାଇ:ଆଇପିଏଲର ସବୁଠୁ ଶକ୍ତିଶାଳୀ ଟିମ ମୁମ୍ବାଇ ଇଣ୍ଡିଆନ୍ସର ଚଳିତ ଆଇପିଏଲରେ ନା କିଛି ଶକ୍ତି କାମ ଦେଉଛି ନା ରଣନୀତି । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ଦଳ ପାଇଁ ବିଜୟ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି । ମୁମ୍ବାଇର ପିଛା ଛାଡୁନି ପରାଜୟ । ଲଗାତାର ପରାଜୟ ପରେ ପରାଜୟ ହେଉଛି ଦଳ । ରବିବାର ଲକ୍ଷ୍ନୌ ସହ ଥିବା ୩୭ ତମ ମ୍ୟାଚ୍ରେ 36 ରନରେ ପରାସ୍ତ ହୋଇଛି ମୁମ୍ବାଇ । ଚଳିତ ସିଜିନରେ ଏହା ଦଳର ଅଷ୍ଟମ ପରାଜୟ ।
ଟସ୍ ଜିତି ପ୍ରଥମେ ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ମୁମ୍ବାଇ । ଇନିଂସ ଆରମ୍ଭରୁ ଲକ୍ଷ୍ନୌ ଦଳ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲା । ତେବେ ମୁମ୍ବାଇ ବୋଲର ଶୃଙ୍ଖଳିତ ବୋଲିଂ କରି ଲକ୍ଷ୍ନୌ ବ୍ୟାଟରଙ୍କୁ ବଡ଼ ସଟ୍ ଖେଳିବାକୁ କୌଣସି ସୁଯୋଗ ଦେଇନଥିଲେ । ପ୍ରଥମ ୱିକେଟ ପାଇଁ ଲକ୍ଷ୍ନୌର ଦୁଇ ଓପନରଙ୍କ ମଧ୍ୟରେ ୨୭ ରନ୍ର ଭାଗିଦାରୀ ହୋଇଥିଲା । ଏହାପରେ କ୍ବିଣ୍ଟନ ଡି କକ୍ଙ୍କ ୱିକେଟ ହରାଇଥିଲା ଲକ୍ଷ୍ନୌ । ସେପଟେ ଲକ୍ଷ୍ନୌର ଅଧିନାୟକ କେ.ଏଲ. ରାହୁଲ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ । ସେ ୬୨ ବଲ୍ରୁ ଶତକ ହାସଲ କରି ଅପରାଜିତ ରହିଥିଲେ । ରାହୁଲଙ୍କୁ ଛାଡ଼ିଦେଲେ ଆଉ କୌଣସି ବ୍ୟାଟର ବଡ଼ ସ୍କୋର କରି ପାରିନଥିଲେ । ମନୀଷ ପାଣ୍ଡେ କିଛି ସମୟ ପଡ଼ିଆରେ ବିତାଇଥିଲେ ସୁଦ୍ଧା ସେ ମାତ୍ର ୨୪ ରନ୍ କରିବାକୁ ସକ୍ଷମ ହୋଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଲକ୍ଷ୍ନୌ ୬ ୱିକେଟ ହରାଇ ୧୬୮ ରନ୍ କରିଥିଲା ।
ସେପଟେ ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ଓ ରିଲେ ମେରେଡିଥ୍ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦୁଇ ବୋଲର ୪ ଓଭରରେ ୪୦ ରନ୍ ଖର୍ଚ୍ଚ କରିଥିଲେ । ମେରେଡିଥ୍ ଓ କିରଣ ପୋଲାର୍ଡ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ବୁମରା ଓ ସାମ୍ସ ଗୋଟିଏ ଲେଖାଏଁ ୱିକେଟ ନେବାକୁ ସକ୍ଷମ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ।