ମୁମ୍ବାଇ:ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ। ଆଇପିଏଲ 14ତମ ସଂସ୍କରଣର ଏହି ଚତୁର୍ଥ ମ୍ୟାଚକୁ ନେଇ ଉଭୟ ପକ୍ଷର କ୍ରିକେଟର ପ୍ରସ୍ତୁତ ରହିଛନ୍ତି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସର କ୍ରିଶ ମୋରିସଙ୍କ ଉପରେ ରହିବ ସଭିଙ୍କ ନଜର। ଆଇପିଏଲ ମିନି ନିଲାମୀରେ ସବୁଠାରୁ ଅଧିକ ଟଙ୍କାରେ ନିଲାମ ହୋଇଥିଲେ କ୍ରିଶ ମୋରିସ। ଆହତ ସମସ୍ୟା ଯୋଗୁଁ ଜୋଫ୍ରା ଆର୍ଚର ଚଳିତ ସିଜିନରେ ରାଜସ୍ଥାନ ସହ ଯୋଗ ଦେଇ ପାରିନାହାନ୍ତି। ଏଭଳି ସ୍ଥିତିରେ କ୍ରିଶ ମୋରିସଙ୍କ ରାଜସ୍ଥାନ ବୋଲିଂ ଲାଇନ ଦାୟିତ୍ବ ନେବେ।
ପୂର୍ବ ସିଜିନରେ ରାଜସ୍ଥାନର ବୋଲିଂ ସମସ୍ୟା ରହିଥିଲା। ଜୋଫ୍ରା ଆର୍ଚର ଭଲ ବୋଲିଂ କରିଥିଲେ ସୁଦ୍ଧା ତାଙ୍କୁ ଅନ୍ୟ କୌଣସି ବୋଲର ତାଙ୍କୁ ସହାୟତା କରି ପାରିନଥିଲେ। ଚଳିତ ବର୍ଷ ମୁସ୍ତାଫିଜୁର ରେହମାନ ଓ କ୍ରିଶ ମୋରିସଙ୍କ ଉପରେ ଏହି ଗୁରୁ ଦାୟିତ୍ବ ରହିବ। ବ୍ୟାଟିଂ ଲାଇନ ସମ୍ଭାଳିବାକୁ ଦଳରେ ଆକ୍ରାମକ ବ୍ୟାଟ୍ସମ୍ୟାନ ଜୋଶ ବଟଲର ରହିଛନ୍ତି। ତା ସାଙ୍ଗକୁ ଅଲରାଉଣ୍ଡର ବେନ ଷ୍ଟୋକସ ମଧ୍ୟ ପ୍ରତିପକ୍ଷ ଦଳର ବୋଲିଂକୁ ଧ୍ବସ୍ତ କରିବାର କ୍ଷମତା ରଖିଛନ୍ତି। ଡେଭିଡ ମିଲର ମଧ୍ୟ ସ୍କୋର କରିବାରେ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିବେ।
ସେପଟେ ପଞ୍ଜାବ ଦଳ ମଧ୍ୟ ଗତ ସିଜିନରେ ଆକ୍ରାମକ ଖେଳ ଦେଖାଇଥିଲା। ଗତ ସିଜିନରେ ସର୍ବାଧିକ ରନ କରିଥିବା ଅଧିନାୟକ କେ ଏଲ ରାହୁଲ ଗତଥର ଅରେଞ୍ଜ କ୍ୟାପ ପାଇଥିଲେ। ତେବେ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷରେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲେ ରାହୁଲ। ଏହାଛଡ଼ା ମୟଙ୍କ ଅଗ୍ରୱାଲ ଦଳ ପାଇଁ ଭରଷାଯୋଗ୍ୟ ହୋଇ ପାରିବେ।
ବୋଲିଂ ବିଭାଗ ସମ୍ଭାଳିବାକୁ ଦଳ ପାଖରେ ଅଭିଜ୍ଞ ଫାଷ୍ଟ ବୋଲର ମହମ୍ମଦ ସାମି ରହିଛନ୍ତି। କ୍ରିଶ ଜୋର୍ଡନଙ୍କୁ ମଧ୍ୟ ଦଳ ୱିକେଟ ନେବା ପାଇଁ ବ୍ୟବହାର କରି ପାରିବ। ଦେଖିବାକୁ ବାକି ରହିଲା ମ୍ୟାଚରେ କିଏ ବାଜିମାତ କରୁଛି।