ନୂଆଦିଲ୍ଲୀ:ଆଇପିଏଲରେ ଏକ ସଫଳ ଦଳର ରୂପରେ ଉଭା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ। ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ସଫଳ ଦଳ ଭାବରେ ବିବେଚିତ ହେଉଥିଲା। ତେବେ ଲଗାତାର ଦୁଇଟି ସିଜିନରେ ଟାଇଟଲ ହାତେଇବା ପରେ ବର୍ତ୍ତମାନ ହାଟ୍ରିକ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ। ବର୍ତ୍ତମାନ ସୁଦ୍ଧା 5ଟି ଆଇପିଏଲ ଟ୍ରଫି ନିଜ ନାମରେ କରି ସାରିଛି ଏହି ଘାତକ ଦଳ।
2013 ସିଜିନ ପରଠୁ ଦଳ ଲଗାତାର ଭଲ ପ୍ରଦର୍ଶନ କରି ଆସୁଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳର ପ୍ରତ୍ୟେକ ଭିବାଗ ସନ୍ତୁଳିତ ମନେ ହୁଏ। ବ୍ୟାଟିଂ ଲାଇନରେ ରୋହିତ ଶର୍ମାଙ୍କ ସହ କ୍ବିଣ୍ଟନ ଡିକକ୍, ସୂର୍ଯ୍ୟକୁମାର ଯାଦବ ଟପ ଅର୍ଡର ଦାୟିତ୍ବରେ ରହିଛନ୍ତି। ସେହିଭଳି ମିଡିଲ ଅର୍ଡରରେ ଇଶାନ କିଷନ, କୈରନ ପୋଲାର୍ଡ, ହାର୍ଦ୍ଧିକ ପାଣ୍ଡ୍ୟା ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ବ୍ୟାଟିଂ ଦାୟିତ୍ବରେ ରହିଛନ୍ତି। ଜିମି ନିଷମ, ଆଡାମ ମିଲନେ ଲୋୟର ଅର୍ଡର ଦାୟିତ୍ବରେ ରହିଛନ୍ତି।
ଗତ ସିଜିନରେ ଇଶାନ କିଷନ, କ୍ବିଣ୍ଟନ ଡିକକ୍ ଓ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ 516, 503 ଏବଂ 480 ରନ ସ୍କୋର କରି ବିପକ୍ଷ ଦଳକୁ ଘାଇଲା କରି ଦେଇଥିଲେ। କୈରନ ପୋଲାର୍ଡ ଓ ହାର୍ଦ୍ଧିକ ପାଣ୍ଡ୍ୟା ଦଳ ପାଇଁ ଫିନିଶର ସାବ୍ୟସ୍ତ ହୋଇଛନ୍ତି। ବହୁ ମ୍ୟାଚକୁ ବିପକ୍ଷ ଦଳ ହାତରୁ ଛଡ଼ାଇ ଆଣିଛନ୍ତି ଏହି ଦୁଇ ବ୍ୟାଟସମ୍ୟାନ।
ଖାଲି ବ୍ୟାଟିଂ କାହିଁକି, ବୋଲିଂ ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ କିଛି କମ ନୁହେଁ। ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସଞ୍ଜିବନୀ ପାଲଟିଛି। ତାସାଙ୍ଗକୁ ହାର୍ଦ୍ଧିକ ପାଣ୍ଡ୍ୟା ଓ କୈରନ ପୋଲାର୍ଡଙ୍କ ବୋଲିଂ କୌଶଳ ମଧ୍ୟ ଦମଦାର ରହିଛି। ତେବେ ସ୍ପିନ ବିଭାଗ ମୁମ୍ବାଇ ପାଇଁ ମୁମ୍ବାଇ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। କାରଣ ଗତ ସିଜିନରେ ରାହୁଲ ଚହର ଗୋଟିଏ ପଟେ 15 ୱିକେଟ ନେଇଥିବା ବେଳେ କୃଣାଳ ପାଣ୍ଡ୍ୟା ମାତ୍ର 6 ୱିକେଟ ପାଇଥିଲେ। ଆଇପିଏଲ 14 ପାଇଁ ଏହାକୁ ନେଇ ମୁମ୍ବାଇ କିଛି ରଣନୀତି ପ୍ରସ୍ତୁତ କରିଥିବ।