ଓଡିଶା

odisha

'ଧୋନୀଙ୍କ ନେତୃତ୍ୱ ଦକ୍ଷତା ଭଲ, ସେ ଭବିଷ୍ୟତର ରାଜନେତା'; ଆନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟ୍‌ ପରେ ଚର୍ଚ୍ଚା

By

Published : May 30, 2023, 11:00 PM IST

ପଞ୍ଚମ ଆଇପିଏଲ ଟ୍ରଫି ଜିତିବା ପରେ ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି । ତେବେ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ଧୋନୀ ରାଜନୀତିକୁ ଆସିବା ଉପରେ ବିଚାର କରିବା ଉଚିତ ବୋଲି ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି । ଅଧିକ ପଢ଼ନ୍ତୁ

ଧୋନୀଙ୍କୁ ନେଇ ଏମିତି କହିଲେ ଆନନ୍ଦ ମହିନ୍ଦ୍ରା
ଧୋନୀଙ୍କୁ ନେଇ ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ହାଇଦ୍ରାବାଦ: ସରିଛି ଆଇପିଏଲ ୨୦୨୩ ମହାସମର । ପୁଣିଥରେ ଆଇପିଏଲରେ ସଫଳ ହୋଇଛନ୍ତି ଏହି ଟୁର୍ଣ୍ଣାମେଣ୍ଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ତେବେ ରାଜନୀତିକୁ ଆସିବେ କି ଏହି ଦକ୍ଷ କ୍ରିକେଟର । ଖେଳ ଜଗତରେ ତାଙ୍କର ନେତୃତ୍ବ ନେବାର ଦକ୍ଷତା ସାରାଦେଶ ଦେଖିଛି । ଆଇପିଏଲ ୨୦୨୩ରେ ଧୋନୀଙ୍କ ନେତୃତ୍ବାଧିନ ଚେନ୍ନାଇ ସୁପରକିଙ୍ଗସ ଦଳ ସଫଳତା ପାଇବା ପରେ ଏହାର ଶ୍ରେୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଏହା ସହିତ ରାଜନୀତିରେ ପ୍ରବେଶ ନେଇ ଧୋନୀ ଭାବିବା ଉଚିତ ବୋଲି ସେ ଲେଖିଛନ୍ତି ।

ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ୍‌ ଯଦିଓ ମେ ୨୮ରେ ଖେଳାଯିବାର ସୂଚୀ ରହିଥିଲା, ହେଲେ ବର୍ଷା ବାଧକ ସାଜିବାରୁ ଏହା ୨୯କୁ ସ୍ଥଗିତ ରହିଥିଲା । ଏହାପରେ ୨୯ରେ ମଧ୍ୟ ବର୍ଷା ମ୍ୟାଚ୍‌କୁ ଅଧାରୁ ଅଟକାଇଥିଲା । ତେବେ ବିଳମ୍ବିତ ରାତିରେ ରୋମାଞ୍ଚକର ଭାବେ ଗୁଜରାଟକୁ ହରାଇ ଚମ୍ପିଆନ୍‌ ହୋଇଛି ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ । ଅଧିନାୟକ ଭାବେ ଏହି ବିଜୟର ଶ୍ରେୟ ନିଶ୍ଚୟ ଧୋନୀଙ୍କର । ବହୁ ବିଶିଷ୍ଟ ବ୍ୟକ୍ତି ଏନେଇ ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟ୍‌ ।

ଧୋନୀଙ୍କୁ ବିଜୟର ଶ୍ରେୟ ଦେବାକୁ ଯାଇ ସେ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି, "ଧୋନି ଆଇପିଏଲରେ ଆଉ ଗୋଟିଏ ବର୍ଷ ଖେଳିବେ ବୋଲି ଜାଣିବା ପରେ ସମସ୍ତଙ୍କ ଭଳି ମୁଁ ମଧ୍ୟ ବେଶ ଖୁସି । କିନ୍ତୁ ସେ ଏ କ୍ଷେତ୍ରରେ ବେଶୀ ଦିନ ନରହି ରାଜନୀତିକୁ ଆସିବା କଥା ଚିନ୍ତା କରିବା ଉଚିତ୍‌ ।" ଏହା ସହିତ ଆନନ୍ଦ କିଛି ପୁରୁଣା କଥାକୁ ମନେପକାଇ ଆହୁରି ମଧ୍ୟ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, "ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଦ୍ବାରା NCCର ଏକ କାର୍ଯ୍ୟକ୍ରମ କରାଯାଇଥିଲା । ସେଠାରେ ମୁଁ ଅଂଶଗ୍ରହଣ କରିଥିଲି । ମୁଁ ଧୋନୀଙ୍କ ସହ ପରିଚାଳିତ NCC ସମୀକ୍ଷା ପ୍ୟାନେଲରେ କାମ କରିଛି । ସେଠାରେ ଧୋନୀଙ୍କ କାର୍ଯ୍ୟକୁ ମୁଁ ଦେଖିଛି । ସେ ଅଭିନବ ଉପାୟରେ ସବୁ କିଛି କରିପାରିବେ ।" ଧୋନୀ ଜଣେ ସଠିକ୍‌ ଭବିଷ୍ୟତ ନେତା ବୋଲି ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ବିଟରରେ ଲେଖିଛନ୍ତି । ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details