ହାଇଦ୍ରାବାଦ: କୋଲକାତାର ଇଡେନ ଗାର୍ଡେନରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍କୁ ୮୧ ରନରେ ଜିତି ଆଇପିଏଲ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ । ତେବେ କୋଲକାତାକୁ ଏହି ମ୍ୟାଚ୍ ଜିତାଇବାରେ ଦଳର ଦୃତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କର ମହତ୍ବପୂର୍ଣ୍ଣ ଯୋଗଦାନ ରହିଛି । ଏହି ମ୍ୟାଚ୍ରେ ଶୀର୍ଷକ୍ରମ ବ୍ୟାଟର ମାନେ ଫେଲ ମାରିଥିଲେ ମଧ୍ୟ ସେ ୭ ନମ୍ବରରେ ବ୍ଯାଟିଂ କରିବାକୁ ଆସି ଧୂଆଁଧାର ବ୍ୟାଟିଂ କରିଥିଲେ । ଫଳରେ ଗୋଟିଏ ସମୟରେ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା ଦଳ ସମୁଦାୟ ୨୦୪ ଭଳି ଏକ ବିଶାଳ ସ୍କୋରରେ ପହଞ୍ଚି ପାରିଥିଲା । ଏହି ମ୍ୟାଚ୍ରେ ସେ ମାତ୍ର ୨୦ ବଲ୍ରେ ଅର୍ଦ୍ଧଶତକ ହାସଲ କରି ରାଜସ୍ଥାନ ରୟାଲ୍ସର ଜୋଶ ବଟଲରଙ୍କ ସମକକ୍ଷ ହୋଇଛନ୍ତି ।
ତେବେ ଆରସିବି ବିପକ୍ଷରେ ଶାର୍ଦ୍ଦୁଲ ହାସଲ କରିଥିବା ଅର୍ଦ୍ଧଶତକ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମଧ୍ୟ ଥିଲା । ତେବେ ଏହି ଗୁରୁତ୍ବପୂର୍ଣ୍ଣ ଅର୍ଦ୍ଧଶତକ ଯେଉଁ ସମୟରେ ଏବଂ ଯେଉଁଭଳି ପ୍ରଦର୍ଶନ କରି ସେ ହାସଲ କରିଥିଲେ, ଏହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । କ୍ରିକେଟ ସମୀକ୍ଷକଙ୍କ ମତରେ ସେ ଏବେ ନିଜକୁ କେବଳ ଜଣେ ଦୃତ ବୋଲର ନୁହେଁ, ବରଂ ଜଣେ ଭଲ ଅଲରାଉଣ୍ଡର ଭାବେ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି । ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ଦଳୀୟ ସ୍କୋର ୨୯ ରନ ହୋଇଥିବା ବେଳେ କୋଲକାତା ଲଗାତାର ୨ଟି ବଲରେ ରାମାନୁଲ୍ଲା ଗୁରବାଜ ଓ ଆନ୍ଦ୍ରେ ରସେଲଙ୍କୁ ହରାଇଥିଲା । ଆରସିବି ସ୍ପିନର କର୍ଣ୍ଣ ଶର୍ମାଙ୍କ ବଲରେ ଉଭୟ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଧୂଆଁଧାର ବ୍ୟାଟିଂ କରିଥିଲେ ଶାର୍ଦ୍ଦୁଲ । ସେ ଏହି ମ୍ୟାଚ୍ରେ କେବଳ ୨୯ ବଲ ଖେଳି ୬୮ ରନର ଦମଦାର ପାଳି ଖେଳିଥିଲେ ।