ହାଇଦ୍ରାବାଦ:ଗୁଜୁରାଟ ଟାଇଟନ୍ସକୁ ଲାଗିଲା ଝଟକା । ଆଇପିଏଲ 2023ର କୌଣସି ମ୍ୟାଚ୍ ଖେଳିବେନି ଅଭିଜ୍ଞ ବ୍ୟାଟର କେନ୍ ଓ୍ବିଲିୟମସନ । ଆହତ ଜନିତ ସମସ୍ୟା ଯୋଗୁଁ ସେ ଟୁର୍ଣ୍ଣାମେଣ୍ଟ୍ରୁ ବାଦ୍ ପଡିଛନ୍ତି । ଏନେଇ ଗୁଜୁରାଟ ଫ୍ରାଞ୍ଚାଇଜ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମ୍ୟାଚ ଖେଳୁଥିବା ସମୟରେ କେନ୍ ଓ୍ବିଲିୟମସନଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ।
ଗୁଜୁରାଟ ଟାଇଟନ୍ସର ଟିମ୍ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି,"ଫିଲ୍ଡିଂ କରୁଥିବା ସମୟରେ କେନ୍ ଓ୍ବିଲିୟମସନ ଆହତ ହୋଇଥିଲେ । ଆଘାତ ଗୁରୁତର ଥିବାରୁ ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ୍ରୁ ବାଦ ପଡିଛନ୍ତି । ଆମେ ତାଙ୍କର ଆରୋଗ୍ୟ କାମନା କରୁଛୁ । ଖୁବଶୀଘ୍ର ସେ ସୁସ୍ଥ ହେବା ନେଇ ଆମେ ଆଶାବାଦୀ ରହିଛୁ । ଅଧିକ ଚିକିତ୍ସା ପାଇଁ ସେ ନ୍ୟୁଜିଲାଣ୍ଡ ଫେରିଯିବେ । ତେବେ ତାଙ୍କ ସ୍ଥାନରେ ଦଳରେ ଆଉ କାହାକୁ ସ୍ଥାନ ଦିଆଯିବ ତାହାକୁ ନେଇ ଆଗାମୀ ଦିନରେ ଘୋଷଣା କରାଯିବ ।"
ଆଇପିଏଲର 16 ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇଥିଲା । ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଟସ୍ ଜିତିବା ପରେ ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଗୁଜୁରାଟ । ଋତୁରାଜ ଗାଏକଓ୍ବାଡଙ୍କ ଏକ ସଟ୍କୁ ବାଉଣ୍ଡ୍ରିରେ ଅଟକାଇବା ବେଳେ କେନ୍ ଓ୍ବିଲିୟମସନ ଆହତ ହୋଇଥିଲେ । ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ପଡିଆ ବାହାରକୁ ନିଆ ଯାଇଥିଲା ।
ତେବେ କେନ୍ ଓ୍ବିଲିୟମସନ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡ଼ିବା ଦଳ ଉପରେ ପ୍ରଭାବ ପକାଇପାରେ । ଆହତ ଜନିତ ସମସ୍ୟାରୁ ସେ ଉଦଘାଟନୀ ମ୍ୟାଚରେ ବ୍ୟାଟିଂ ମଧ୍ୟ କରି ପାରିନଥିଲେ । ତାଙ୍କ ବଦଳରେ ଇମ୍ପାକ୍ଟ ଖେଳାଳୀ ସାଇ ସୁଦର୍ଶନ ପଡିଆକୁ ଓହ୍ଳାଇଥିଲେ । ଉଦଘାଟନୀ ମ୍ୟାଚରେ ଚେନ୍ନାଇକୁ 5 ଓ୍ବିକେଟରେ ହରାଇଛି ଗୁଜୁରାଟ । ରସିଦ ଖାନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଋତୁରାଜ ଗାଏକଓ୍ବାଡଙ୍କ ଦମଦାର ବ୍ୟାଟିଂ ପରେବି ଉଦଘାଟନୀ ମ୍ୟାଚରେ ବିଜୟୀ ହୋଇପାରିଲା ନଥିଲା ଚେନ୍ନାଇ । ଗୁଜୁରାଟ ଦଳ ପକ୍ଷରୁ ଶାହା 25 ରନ, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା 11 , ଶୁଭମନ ଗିଲ 36ଟି ବଲରୁ ଅର୍ଦ୍ଧଶତକ ହାସଲ କରି 63ରନରେ ଆଉଟ ହୋଇଥିଲେ । ସେହିପରି ବିଜୟ ଶଙ୍କର 27 ରନ, ରାସିଦ ଖାନଙ୍କ 10 ରନ ଓ ଶେଷ ଓଭରର ପ୍ରଥମ ଦୁଇଟି ବଲରେ ରାହୁଲ ତେଓ୍ବାତିଆ ଗୋଟିଏ ଛକା ଓ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ ।