ନୂଆଦିଲ୍ଲୀ:ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଫଟାଫାଟ ଟି-20 ଲିଗ ଆଇପିଏଲ ମାର୍ଚ୍ଚ 31ରୁ ଆରମ୍ଭ ହେଉଛି । ଏହା 16ତମ ସଂସ୍କରଣ । ଆଇପିଏଲ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା ଲାଗିଛି । ଆହତଜନିତ ସମସ୍ୟା ପାଇଁ ଦଳର ପ୍ରମୁଖ ବୋଲର ଯଶପ୍ରୀତ ବୁମରା ଦଳରୁ ବାଦ ପଡିବେ । ଟପ ବୋଲର ବୁମରା ଦଳରୁ ବାଦ ପଡିବା ନେଇ ଖବର ପ୍ରକାଶ ପାଇବା ପରେ ସର୍ବାଧିକ ଟାଇଟଲ ବିଜେତା ରୋହିତ ଶର୍ମାଙ୍କ ନେତୃତ୍ବଧୀନ ମୁମ୍ବାଇ ଇଣ୍ଡିଆନ୍ସର ଚିନ୍ତା ବଢିଛି ।
ଯଶପ୍ରୀତ ବୁମରା ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହା ସହ ଆଗାମୀ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଓ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ଏକ ଦିବସୀୟ ବିଶ୍ବକର ଖେଳିବାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି । 29 ବର୍ଷୀୟ ବୁମରା ପିଠି ଯନ୍ତ୍ରଣା ସମସ୍ୟା ନେଇ ଦୀର୍ଘଦିନ ହେବ ବିଶ୍ରାମ ନେଉଛନ୍ତି । ତାଙ୍କ ଅସ୍ତ୍ରୋପଚାର ମଧ୍ୟ ହୋଇପାରେ । ଗତବର୍ଷ ସେପ୍ଟେମ୍ବରରୁ କୌଣସି ମ୍ୟାଚ ଖେଳି ନାହାନ୍ତି ବୁମରା । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ସମୟ ଲାଗିବ ତେଣୁ ସେ ଏଥର ଆଇପିଏଲ ନଖେଳିବାର ଯେଥେଷ୍ଟ ସମ୍ଭାବନା ରହିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ଏହି ଖବର ଶକ୍ତ ଧକ୍କା ସଦୃଶ ହୋଇଛି ।