ଆବୁଧାବି:ଆଜି(ଶୁକ୍ରବାର) ଆଇପିଏଲରେ ଡବଲହେଡର ମ୍ୟାଚ । ସନରାଇଜର୍ସ ହାଇଦ୍ରାବାଦ ସହିତ ମୁ୍ମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ ସହିତ ବାଙ୍ଗାଲୋରର ହେବ ମୁକାବିଲା । ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ପାଇଁ ସାମ୍ନାସାମ୍ନି ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁ୍ମ୍ବାଇ ଇଣ୍ଡିଆନ୍ସ । ଡିଫେଣ୍ଡିଂ ଚମ୍ପିଆନ ଦଳ ପାଇଁ ମ୍ୟାଚଟି ବେଶ୍ ଗୁରୁତ୍ବପୂର୍ଣ୍ଣ । ପ୍ଲେ ଅଫରେ ପ୍ରବେଶ କରିବା ପାଇଁ ଏବେ ବି ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ସୁଯୋଗ ରହିଛି । ସନରାଇଜର୍ସକୁ ଏକ ବିଶାଳ ବ୍ୟବଧାନରେ ହରାଇବାକୁ ପଡିବ ।
ସନରାଇଜର୍ସକୁ ୧୭୦ରୁ ଅଧିକ ରନରେ ହରାଇଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରେ ପ୍ରବେଶ କରିବ । ଉଭୟ ଦଳ ପାଇଁ ଏହା ଶେଷ ଲିଗ ମ୍ୟାଚ ହୋଇଥିବାରୁ ଦର୍ଶକଙ୍କ ରୋମାଞ୍ଚ ଦ୍ବିଗୁଣିତ କରିବା ଉଭୟଙ୍କ ପାଇଁ ପ୍ରଥମ କାର୍ଯ୍ୟ ହେବ । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନରେ ସ୍ଥିରତା ନଥିବାବେଳେ ହାଇଦ୍ରବାଦର ପ୍ରଦର୍ଶନ ଲଜ୍ଜାଜନକ ରହିଛି । ପଏଣ୍ଟ ଟେବୁଲରେ ଶେଷରେ ରହିଛି ହାଇଦ୍ରାବାଦ । ମୁମ୍ବାଇକୁ ଆଜିର ମ୍ୟାଚରେ ଏକ ବିଶାଳ ସ୍କୋରରେ ଜିତିବାକୁ ପଡିବ । ଏହା ସମ୍ଭବ ହେଲେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉଠିବ ମୁମ୍ବାଇ । ଇଣ୍ଡିଆନ୍ସଙ୍କ ସବୁ ଖେଳାଳି ଫୁଲ ଫର୍ମରେ ଅଛନ୍ତି । ଆଜି ଆବୁଧାବିରେ ଏକ ବିସ୍ଫୋରକ ମ୍ୟାଚ ଦେଖିବାକୁ ମିଳିବ ।