ଦୁବାଇ:ଆଇପିଏଲ ଟୁର୍ଣ୍ଣାମେଣ୍ଟର ବାୟୋ ବବଲ ଛାଡିଲେ ସନରାଇଜର୍ସ ହାଇଦ୍ରାବାଦ(SRH) ଅଲରାଉଣ୍ଡର ସେରଫନ ରଦରଫୋର୍ଡ । ପିତାଙ୍କର ଦେହାନ୍ତ ଯୋଗୁଁ ପରିବାର ସହିତ ସମୟ ବିତାଇବାକୁ ନିଷ୍ପତ୍ତି କରି ସ୍ବଦେଶ ଫେରିଗଲେ ଅଲରାଉଣ୍ଡର ରଦରଫୋର୍ଡ ।
ସନରାଇଜର୍ସ ପରିବାର ରଦରଫୋର୍ଡଙ୍କ ପିତାଙ୍କ ଦେହାନ୍ତରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛି । ଏଥିସହ ସନରାଇଜର୍ସ ହାଇଦ୍ରାବାଦ ନିଜ ଟ୍ବିଟ ଆକାଉଣ୍ଟରେ ସେ ଆଇପିଏଲ ବାୟୋବବଲ ଛାଡି ଘରକୁ ଫେରୁଥବା ସୂଚନା ଦେଇଛି ।
ଇଂଲଣ୍ଡ ଓପନିଂ ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋଙ୍କ ବଦଳ ଖେଳାଳିଭାବେ SRH ରଦରଫୋର୍ଡଙ୍କୁ ଟିମରେ ସାମିଲ କରିଥିଲା । ବେୟାରଷ୍ଟୋ ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିଲେ ।
ଶ୍ରେୟସ ଆୟର ଓ ଋଷଭ ପନ୍ତଙ୍କ ଯଥାକ୍ରମେ ୪୭ ଓ ୩୭ ରନ୍ର ଅପରାଜିତ ଇଂନିସ ସହାୟତାରେ ୧୩୫ ରନ୍ର ବିଜୟ ଲକ୍ଷ୍ୟକୁ ୧୩ଟି ବଲ୍ ପୂର୍ବରୁ ସହଜରେ ହାସଲ କରିନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଏହି ପରାଜୟ ସହିତ ଚଳିତ ଆଇପିଏଲର ପଏଣ୍ଟ ଟେବୁଲରେ ଶେଷରେ ସ୍ଥିର ରହିଛି ସନରାଇଜର୍ସ ହାଇଦ୍ରାବାଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ