ଲକ୍ଷ୍ନୌ: ମଙ୍ଗଳବାର ଏକ ରୋମାଞ୍ଚକ ମ୍ୟାଚ୍ରେ ମୁମ୍ବାଇକୁ ୫ ରନ୍ରେ ପରାସ୍ତ କରିଥିଲା ଲକ୍ଷ୍ନୌ । ପ୍ଲେ ଅଫ୍ ଦୌଡ଼ରେ ସାମିଲ ଥିବା ସମସ୍ତ ଦଳ ପାଇଁ ଏବେ ପ୍ରତି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ମୁମ୍ବାଇ ବିପକ୍ଷ ମ୍ୟାଚରେ ଶେଷ ଓଭରରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତାଇ ଦେଇଥିଲେ ମୋହସିନ୍ ଖାନ୍ । ୧୭୮ ରନ୍ ଟାର୍ଗେଟ ନେଇ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଦ୍ବାରରେ ପହଞ୍ଚି ଯାଇଥିଲେ ମଧ୍ୟ ଶେଷ ଓଭରରେ ୧୧ ରନକୁ ହାସଲ କରିପାରିନଥିଲେ ଦଳର ଦୁଇ ଷ୍ଟାର ବ୍ୟାଟର ଟିମ ଡେଭିଡ ଓ କାମେରନ ଗ୍ରୀନ । ତେବେ ଶେଷ ଓଭରରେ ଲକ୍ଷ୍ନୌ ପକ୍ଷରୁ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଥିବା ମୋହସିନ୍ ଖାନ ମ୍ୟାଚ ପରେ ତାଙ୍କର ବାପା ICUରେ ରହିଥିବା କହିଥିଲେ ।
ଏହି ମ୍ୟାଚ୍ରେ ଶେଷ ଦୁଇ ଓଭରରୁ ମୁମ୍ବାଇକୁ ୩୦ ରନ୍ ଆବଶ୍ୟକ ପଡ଼ିଥିଲା । ୧୯ତମ ଓଭରରେ ନବୀନ ଉଲ୍ ହକ୍ ବୋଲିଂ କରୁଥିବା ବେଳେ ଏହି ଓଭରରୁ ଟିମ୍ ଡେଭିଡ୍ ୧୯ ରନ୍ ଆଦାୟ କରିବା ପରେ ମୁମ୍ବାଇ ମ୍ୟାଚ୍ ଜିତିଯିବା ଏକ ପ୍ରକାର ନିଶ୍ଚିତ ହୋଇଥିଲା । ତେବେ ପ୍ରଥମ ଓଭରରେ ୧୩ ରନ୍ ବ୍ୟୟ କରି ଅଭିଯାନ ଆରମ୍ଭ କରିଥିବା ଲକ୍ଷ୍ନୌ ବୋଲର ମୋହସିନ୍ ଖାନ୍ ଶେଷ ଓଭରରେ କିନ୍ତୁ ଅସମ୍ଭବ ଲାଗୁଥିବା ୧୧ ରନ୍କୁ ଡିଫେଣ୍ଡ କରି ଦେଇଥିଲେ । ମ୍ୟାଚ ସରିବା ପରେ ମୋହସିନ ଖାନ ଭାବବିହ୍ଵଳ ହୋଇ ଯାଇଥିଲେ । ସେ କହିଥିଲେ, "ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ । ମୋ ବାପା ଆଇସିୟୁରେ ରହିଥିବା ବେଳେ ମୁଁ ଖେଳୁଛି । ନିଶ୍ଚୟ ମୋ ବାପା ମୋତେ ଟିଭିରେ ଦେଖିଥିବେ । ମୁଁ କେବଳ ତାଙ୍କ ପାଇଁ ଖେଳିଛି । ମୋ ଖେଳ ଦେଖି ବାପା ନିଶ୍ଚୟ ଖୁସି ହୋଇଥିବେ ।