ନୂଆଦିଲ୍ଲୀ: ଚଳିତ ଆଇପିଏଲ 16ତମ ସଂସ୍କରଣରେ ଆଜି ସପ୍ତମ ମ୍ୟାଚ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ଟାଇଟନ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ବିଜୟରୁ ଅଭିଯାନ ଆରମ୍ଭ କରି ସାରିଛି । ଆଜି ଦିଲ୍ଲୀକୁ ହରାଇ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି । ସେହିପରି ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଗୁଜୁରାଟ ବିପକ୍ଷ ମୁକାବିଲା ଜିତି ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ଡିସିର ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିମୟରେ ମ୍ୟାଚ ଖେଳାଯିବ ।
ଉଦଘାଟନୀ ମ୍ୟାଚରେ 4 ଥରର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସକୁ 5 ୱିକେଟରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା ଗୁଜୁରାଟ । ଆଜି ଦ୍ବିତୀୟ ମୁକାବିଲାରେ ଦିଲ୍ଲୀକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ । ଗୁଜୁରାଟ ଭଲ ଫର୍ମରେ ରହିଛି । ଦିଲ୍ଲୀ ବିପକ୍ଷରେ ବିଜୟ ହାସଲ କରି ଫର୍ମ ବଜାୟ ଲକ୍ଷ୍ୟରେ ରହିଛି ଦଳ । ଟାଇଟନ୍ସ କେବଳ ତାର ଦଳଗତ ପ୍ରଦର୍ଶନ ଉପରେ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନେଇଛି । ସୁପର କିଙ୍ଗସ ବିପକ୍ଷ ପ୍ରଥମ ମ୍ୟାଚରେ ଗୁଜୁରାଟର ଦଳଗତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ରାସିଦ ଖାନ ଓ ରାହୁଲ ଅନ୍ତିମ ଭାଗରେ ଦମଦାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ ।
ଅନ୍ୟପଟେ ବିଜୟ ସ୍ବାଦ ଚାଖିବାକୁ ବ୍ୟାକୁଳ ରହିଛି ଦିଲ୍ଲୀ । ପ୍ରଥମ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସଠୁ 50 ରନରେ ପରାସ୍ତ ହୋଇଥିଲା । ଆଜି ଗୁଜୁରାଟକୁ ହରାଇ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି ଦିଲ୍ଲୀ । ପ୍ରଥମ ମ୍ୟାଚରେ ଦିଲ୍ଲୀର ବୋଲିଂ ବିଭାଗ ଦୁର୍ବଳ ଥିଲା । ଖଲିଲ ଅହମ୍ମଦ, ମୁକେଶ କୁମାର ଓ ଚେତନ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ଆଜି ଦଳକୁ ବିଜୟୀ ହେବାକୁ ହେଲେ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ହେବ । ପୂର୍ବ ସିଜନରେ ଗୁଜୁରାଟ ଓ ଦିଲ୍ଲୀ ମଧ୍ୟରେ ଗୋଟିଏ ମ୍ୟାଚ ଖେଳାଯାଇଥିଲା ସେଥିରେ ଗୁଜୁରାଟ ବାଜି ମାରି ନେଇଥିଲା ।