ହାଇଦ୍ରାବାଦ: ଚଳିତ ଆଇପିଏଲରେ ଆଜି ରହିଛି ଡବଲହେଡର ମ୍ୟାଚ । ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ସହ ରୟାଲ ଚ୍ୟାଲେଜର୍ସ ବାଙ୍ଗାଲୋରର ମୁକାବିଲା ହେବ । ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମେ ସିଏସକେ ଓ ଏମଆଇ ମଧ୍ୟରେ ମୁକାବିଲା ହେବ । ଚଳିତ ସିଜିନରେ ଆଜି ଦ୍ବିତୀୟ ଥର ପାଇଁ ଧୋନିଙ୍କ ଟିମ ଓ ରୋହିତଙ୍କ ଟିମ ମଧ୍ୟରେ ଲଢେଇ ହେବ । ଏହା ପୂର୍ବରୁ ଏପ୍ରିଲ 8 ତାରିଖରେ ପ୍ରଥମ ଥର ପାଇଁ ଏହି ଦୁଇ ଟିମ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ମୁମ୍ବାଇକୁ 7 ଓ୍ବିକେଟରେ ହରାଇ ବିଜୟୀ ହୋଇଥିଲା ଚେନ୍ନାଇ । କିନ୍ତୁ ଆଜିର ମ୍ୟାଚରେ ମୁମ୍ବାଇ ଚେନ୍ନାଇକୁ ତାର ଘରୋଇ ମାଟିରେ ପରାଜିତ କରି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ । ଏହି ଦୁଇ ଟିମ ମଧ୍ୟରେ ଆଜି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ ।
ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ମୋଟ 10ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଥିବା ବେଳେ 4ଟି ମ୍ୟାଚରେ ପରାଜିତ ହୋଇଛି । ଆଉ ଏକ ମ୍ୟାଚ ଡ୍ର ରହିବାରୁ ଦଳକୁ ଏକ ପଏଣ୍ଟ ମିଳିଥିଲା । ମୋଟ 11 ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ । ତେଣୁ ପଏଣ୍ଟ ଟେବୁଲ ତାଲିକାରେ ଉପରକୁ ଉଠିବାକୁ ହେଲେ ଆଜି ଚେନ୍ନାଇକୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଅନ୍ୟପଟେ ମୁମ୍ବାଇ ବର୍ତ୍ତମାନ ସୁଦ୍ଧା ମୋଟ 9ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଛି । 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ମୁମ୍ବାଇ । ଲଗାତାର ଦୁଇଟି ମ୍ୟାଚରେ ମୁମ୍ବାଇ ବିଜୟୀ ହୋଇଥିବାରୁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ପଏଣ୍ଟ ଟେବୁଲରେ ଉପରୁ ଉଠିବାକୁ ଆଜି ଜୋରଦାର ଉଦ୍ୟମ କରିବ ମୁମ୍ବାଇ ।