ଗୌହାଟୀ: ଜାରି ରହିଥିବା ଆଇପିଏଲ ୨୦୨୩ରେ ଆଜି ଡବଲ ହେଡର ମ୍ୟାଚ୍ ରହିଥିଲା । ତେବେ ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତ ସଂସ୍କରଣରେ ଖେଳିଥିବା ତୃତୀୟ ମ୍ୟାଚରେ ଦ୍ବିତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ରାଜସ୍ଥାନ । ସେପଟେ କିନ୍ତୁ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଥିବା ଦିଲ୍ଲୀକୁ ଆଜି ମଧ୍ୟ ପରାଜୟ ବରଣ କରିବାକୁ ପଡ଼ିଛି । ୨୦୦ ରନର ବିଶାଳ ଲକ୍ଷ୍ୟ ପୂରଣ କରିବାକୁ ଯାଇ କେବଳ ୧୪୨ ରନରେ ଅଟକି ଯାଇଛି ଦିଲ୍ଲୀ । ଫଳରେ କ୍ରମାଗତ ଭାବେ ତୃତୀୟ ମ୍ୟାଚ୍ରେ ମଧ୍ୟ ପରାଜୟର ସ୍ବାଦ ଚାଖିଛି ଡିସି ।
ଗୌହାଟୀରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ନର । ତେବେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିବା ରାଜସ୍ଥାନର ପ୍ରାରମ୍ଭିକ ଯୋଡ଼ି ଆରମ୍ଭରୁ ହିଁ ଦିଲ୍ଲୀ ବୋଲରଙ୍କୁ ଆକ୍ରମଣ କରିଥିଲେ । ଉଭୟଙ୍କ ବଲରୁ ଚୌକା ଓ ଚକା ବର୍ଷା ହୋଇଥିଲା । ଯୁବ ତାରକା ୟଶସ୍ବୀ ଜୟସ୍ବାଲ ପ୍ରଥମ ଓଭରରେ ହିଁ ଦିଲ୍ଲୀ ବୋଲର ଖଲିଲ ଅହମ୍ମଦଙ୍କ ୫ଟି ଚୌକା ମାରିଥିଲେ । ତେବେ ସେ ୩୧ ବଲ ଖେଳି ଦ୍ରୁତଗତିରେ ୬୦ ରନ ସଂଗ୍ରହ କରିଥିଲେ ।
ଦଳୀୟ ସ୍କୋର ୯୧ ରନ ହୋଇଥିବା ବେଳେ ମୁକେଶ କୁମାରଙ୍କ ବଲରେ ପାଭିଲିୟନ ଫେରିଥିଲେ । ଏହାପରେ ସେହି ଓଭରରେ ହିଁ ଜୋଶ ବଟଲରଙ୍କୁ ପାଭିଲିୟନ ଫେରାଇଥିଲେ ମୁକେଶ । ସେ ୫୧ ବଲରୁ ୭୯ ରନ ସଂଗ୍ରହ କରିଥିଲେ । ତେବେ ଅଧିନାୟକ ସଞ୍ଜୁ ସାମସନ ଆଜି ଖାତା ଖୋଲି ପାରିନଥିଲେ । ରିୟାନ ପରାଗ ୭ ରନ କରି ଆଉଟ ହୋଇଥିବା ବେଳେ ହେଟମେୟରଙ୍କ ୨୧ ବଲରୁ ଅପରାଜିତ ୩୯ ଓ ଧୃବ ଜୁରେଲଙ୍କ ୩ ବଲରୁ ୮ ରନ ବଳରେ ଦଳୀୟ ସ୍କୋର ୧୯୯ ରନରେ ପହଞ୍ଚିଥିଲା ।